ଚଳିତ ବିଶ୍ୱକପରେ ଏକମାତ୍ର ଅପରାଜୟ ଟିମ ଭାବେ ଲିଗ ପର୍ଯ୍ୟାୟ ଅଭିଯାନ ଶେଷ କରିଛି ଭାରତୀୟ ଦଳ । ରେକର୍ଡ ୯ ଟି ମ୍ୟାଚ୍ରୁ ୯ ବିଜୟ ସହ ଦଳ ସେମି ଫାଇନାଲ ଖେଳିବାକୁ ନିଜକୁ ପ୍ରସ୍ତୁତ ଆରମ୍ଭ କରିଛି । କ୍ରମାଗତ ୯ଟି ବିଜୟ ସହ ଭାରତ ନିଜ ରେକର୍ଡ ମଧ୍ୟ ଭାଙ୍ଗିଛି । ୨୦୦୩ରେ ଭାରତୀୟ ଦଳ କ୍ରମାଗତ ୮ ବିଜୟ ହାସଲ କରିଥିଲା। ସେତେବେଳେ ସୌରଭ ଗାଙ୍ଗୁଲି ଅଧିନାୟକ ଥିଲେ। ବର୍ତ୍ତମାନ ରୋହିତ ଶର୍ମା ଭାରତର ପ୍ରଥମ ଅଧିନାୟକ ଭାବେ ଇତିହାସ ରଚିଛନ୍ତି । ତାଙ୍କ ଅଧିନାୟକତ୍ୱରେ ଭାରତ କ୍ରମାଗତ ୯ ବିଜୟ ହାସଲ କରିଛି ।
ତେବେ ଭାରତ ଉପରେ ଏକମାତ୍ର ଦଳ ଭାବେ ଅଷ୍ଟ୍ରେଲିଆ ରହିଛି । ଅଷ୍ଟ୍ରେଲିଆ ୨୦୦୩ ଓ ୨୦୦୭ରେ ବିଶ୍ୱକପରେ କ୍ରମାଗତ ୧୧ ମ୍ୟାଚ୍ ଜିତିବାର ରେକର୍ଡ ନିଜ ନାଁରେ କରିଥିଲା।
ଆଜି ରାଉଣ୍ଡ ରବିନ ଫର୍ମାଟର ଶେଷ ମ୍ୟାଚ୍ରେ ଭାରତୀୟ ଟିମ ନେଦରଲ୍ୟାଣ୍ଡ୍ସକୁ ଅତି ସହଜରେ ୧୬୦ ରନରେ ପରାସ୍ତ କରିଛି। ବୁଧବାର ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବିଶ୍ୱକପର ପ୍ରଥମ ସେମି ଫାଇନାଲ ମ୍ୟାଚ୍ ଖେଳିବ। ୨୦୧୯ରେ ନ୍ୟୁଜିଲ୍ୟାଣ୍ଡ ସେମି ଫାଇନାଲରେ ଭାରତକୁ ହରାଇଥିଲେ। ଏଥର ମୁମ୍ବାଇରେ ଭାରତୀୟ ଟିମ ଏହାର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ।
ରବିବାର ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ରେ ଖେଳା ଯାଉଥିବା ମ୍ୟାଚ୍ରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି କରି ନେଦରଲ୍ୟାଣ୍ଡ୍ସକୁ ଧରାଶାୟୀ କରିଛି। ପ୍ରଥମ ବ୍ୟାଟିଂ କରୁଥିବା ଭାରତ ଶ୍ରେୟସ ଆୟରଙ୍କ ଅପରାଜିତ ରହି ୯୩ ବଲରେ ୧୨୮, କେଏଲ ରାହୁଲଙ୍କ ୬୪ ବଲରେ ୧୦୨, ରୋହିତ ଶର୍ମାଙ୍କ ୬୧, ବିରାଟ କୋହଲିଙ୍କ ୫୧ ଓ ଶୁବମନ ଗିଲଙ୍କ ୫୧ ରନ ବଳରେ ଭାରତୀୟ ଦଳ୪୧୦ ରନର ବିଶାଳ ସ୍କୋର କରିଥିଲା ।
ଏହାର ଜବାବରେ ନେଦରଲ୍ୟାଣ୍ଡ୍ସ ୪୭.୫ ଓଭର୍ରେ ସମସ୍ତ ୱିକେଟ ହରାଇ ୨୫୦ ରନ କରିବାକୁ ସକ୍ଷମ ହୋଇଥିଲା । କେବଳ ମହମ୍ମଦ ଶାମିଙ୍କୁ ଛାଡ଼ି ଦେଲେ ଆଜି ଅନ୍ୟ ସମସ୍ତ ନିୟମିତ ବୋଲରମାନେ ୱିକେଟ ପାଇଛନ୍ତି। ସେହିପରି ବିରାଟ କୋହଲି ଓ ରୋହିତ ଶର୍ମା ମଧ୍ୟ ବିଶ୍ୱକପ ଇତିହାସରେ ପ୍ରଥମଥର ପାଇଁ ୱିକେଟ ନେବାର ରେକର୍ଡ ହାସଲ କରିଛନ୍ତି। ବ୍ୟାଟିଂରେ କମାଲ କରିଥିବାରୁ ଶ୍ରେୟସ ଆୟରଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷିତ କରାଯାଇଛି ।