ପୁରୀ: ବିଶ୍ୱର ସବୁଠୁ ବଡ କ୍ରିକେଟ୍ ଲିଗ(ଆଇପିଏଲ)ର ୧୮ତମ ସଂସ୍କରଣକୁ ଆଉ ଦୁଇ ମାସରୁ କମ ସମୟ ରହିଛି । ବିସିସିଆଇ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି । ଏହି କ୍ରମରେ ରବିବାର ପୁରୀ ଶ୍ରୀମନ୍ଦିର ପହଞ୍ଚିଛି ଆଇପିଏଲ ଟ୍ରଫି । ସେବାୟତମାନେ ଟ୍ରଫିଙ୍କୁ ପୂଜାର୍ଚ୍ଚନା କରିଛନ୍ତି ।
କୋଲକାତା ନାଇଟ୍ ରାଇଡର୍ସ ଫ୍ରାଞ୍ଚାଇଜର ସଦସ୍ୟମାନେ ଏହି ଟ୍ରଫି ଆଜି ଶ୍ରୀମନ୍ଦିରକୁ ଆଣି ପୂଜାର୍ଚ୍ଚନା କରିଛନ୍ତି । ଟ୍ରଫିକୁ ଦେଖିବା ପାଇଁ ପ୍ରବଳ ଲୋକଙ୍କ ସମାଗମ ହୋଇଥିଲା । ଗତବର୍ଷ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ୍ ଚାମ୍ପିଅନ ହୋଇଥିଲା । ପୁଣି ଥରେ ଟ୍ରଫି ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି କୋଲକାତା । ଆଇପିଏଲ୍ ଟ୍ରଫିକୁ ଦେଖିବା ପାଇଁ ସେବାୟତଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଟ୍ରଫି ସହ ଫଟୋ ଉଠାଇଛନ୍ତି ।
ସୂଚନାଯୋଗ୍ୟ, ଆଇପିଏଲ୍ ୨୦୨୫ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇ ମେ ୨୫ ତାରିଖରେ ସରିବ । ୧୦ଟି ଦଳ ମଧ୍ୟରେ ମୋଟ୍ ୭୪ଟି ମୁକାବିଲା ଖେଳାଯିବ ।