ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ରାଜିନାମା ହେବା ପରେ ଏବେ ଆଇପିଏଲ୍ ପୁଣି ଆରମ୍ଭ ହେବାର ବାଟ ଫିଟିଛି । ଅବଶିଷ୍ଟ ମ୍ୟାଚର ଆୟୋଜନ ପାଇଁ ଆଜି ବିସିସିଆଇ ବୋର୍ଡ ଅଧିକାରୀ ଓ ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ ବୈଠକ ହେବାକୁ ଯାଉଛି । ଏ ନେଇ ସୂଚନା ଦେଇଛନ୍ତି ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା । ଅପରେସନ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉପୁଜିଥିବା ଯୁଦ୍ଧ ସ୍ଥିତିକୁ ଦୃଷ୍ଟିରେ ରଖି ଆଇପିଏଲ ମେ ୯ ତାରିଖରେ ସପ୍ତାହେ ପାଇଁ ସ୍ଥଗିତ ରଖାଯାଇଥିଲା ।
ରାଜୀବ ଶୁକ୍ଳା କହିଛନ୍ତି, ଯୁଦ୍ଧ ଥମି ଯାଇଛି । ବିସିିସିଆଇ ପଦାଧିକାରୀ, ଅଧିକାରୀ ଓ ଆଇପିଏଲ୍ ସଞ୍ଚାଳନ ପରିଷଦ ରବିବାର ବୈଠକ କରି ଆଇପିଏଲ ପୁନଃ ଆରମ୍ଭ ଉପରେ ନିଷ୍ପତ୍ତି ନେବେ । କୁହାଯାଉଥିଲା ଯେ, ଚେନ୍ନାଇ, ବେଙ୍ଗାଲୁରୁ କିମ୍ବା ହାଇଦ୍ରାବାଦ ପରି ଦକ୍ଷିଣ ଭାରତର କୌଣସି ସହରରେ ଆଇପିଏଲ ଅବଶିଷ୍ଟ ମ୍ୟାଚ୍ ଖେଳା ଯାଇପାରେ । ହେଲେ ଏବେ ଉତ୍ତେଜନା ଥମିବା କାରଣରୁ ନୂଆ କାର୍ଯ୍ୟସୂଚୀ ସହ ଭେନ୍ୟୁର ଘୋଷଣା ଶୀଘ୍ର ହୋଇପାରେ ।
ଶୁଳ୍କା କହିଛନ୍ତି, ଯଦି ଯୁଦ୍ଧ ପରିସ୍ଥିତି ଜାରି ରହିଥାନ୍ତା ତେବେ ଦକ୍ଷିଣ ଭାରତୀୟ ରାଜ୍ୟରେ ଆଇପିଏଲ୍ ଖେଳା ଯାଇଥାନ୍ତା । ଅସ୍ତ୍ରବିରତି ଏବେ ହୋଇଛି, କିଛି ସମୟ ଦିଅନ୍ତୁ । ଏହା ପରେ ନିଷ୍ପତ୍ତି ନିଆଯିବ । ଏବେ ଟୁର୍ଣ୍ଣାମେଣ୍ଟରେ ୧୨ ଲିଗ୍ ମ୍ୟାଚ୍ ସହ ମୋଟ୍ ୧୬ ମ୍ୟାଚ୍ ଖେଳାଯିବ । ବିଭିନ୍ନ ଦଳର ଅଧିକାଂଶ ବିଦେଶୀ ଖେଳାଳି ନିଜ ଦେଶକୁ ଫେରି ସାରିଛନ୍ତି । ବିସିିସିଆଇ ଧର୍ମଶାଳାକୁ ବାଦ୍ ଦେଇ ଅନ୍ୟ ସବୁ ଜାଗାରେ ଯେଉଁଠି ଆଇପିଏଲର ବାକି ମ୍ୟାଚ୍ ହେବାର ଥିଲା, ସେଠାରେ ପ୍ରସାରକ ଓ ପ୍ରଡକ୍ସନ ଟିମକୁ ରହିବାକୁ କୁହାଯାଇଥିଲା ।
ପ୍ରସାରଣକାରୀ ସଂସ୍ଥା ଆରମ୍ଭରୁ ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଚେନ୍ନାଇରେ ନିଜର ପ୍ରଡକ୍ସନ ଟିମକୁ ରହିବାକୁ କହିଥିଲା । ଏବେ ଅସ୍ତ୍ରବିରତି ଘୋଷଣା ପରେ ମୂଳ ଆୟୋଜନ ସ୍ଥଳକୁ ମଧ୍ୟ ଏମିତି ନିର୍ଦ୍ଦେଶ ଦିଆଯାଇଛି । ଆଶା କରାଯାଉଛି ଧର୍ମଶାଲାକୁ ବାଦ୍ ଦେଇ ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ଯେଉଁଠି ହେବାର ଥିଲା, ସେଠାରେ ହିଁ ହେବ । ରିପୋର୍ଟ ଅନୁସାରେ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଯେଉଁଠି ଅଟକିଥିଲା, ସେଠାରୁ ପୁଣି ଆରମ୍ଭ ହେବ ।