ଚଣ୍ଡିଗଡ: ଯୁବ ଉଦୀୟମାନ ବ୍ୟାଟର ପ୍ରିୟାଂଶ ଆର୍ଯ୍ୟଙ୍କ ବିସ୍ଫୋରକ ଶତକ ବଳରେ ଆଇପିଏଲର ୨୨ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ୧୮ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇଛି । ଚଳିତ ସଂସ୍କରଣରେ ଚେନ୍ନାଇ ଲଗାତାର ଚତୁର୍ଥ ପରାଜୟ ଭୋଗିଛି । ଆଉ ପୁଣି ଥରେ ମାହି ପ୍ରଶଂସକଙ୍କ ହୃଦୟ ଭାଙ୍ଗିଛି । ପଞ୍ଜାବ ନିଜର ଚତୁର୍ଥ ମ୍ୟାଚରୁ ତୃତୀୟ ବିଜୟ ସହ ପଏଣ୍ଟ ତାଲିକାର ଚତୁର୍ଥରେ ରହିଛି । ପଞ୍ଜାବ କିଙ୍ଗସ ଦ୍ୱାରା ଧାର୍ଯ୍ୟ ୨୨୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ୨୦୧ ରନ କରି ପାରିଛି ।
ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ଗୋଟିଏ ପଟେ ଦଳ ନିୟମିତ ୱିକେଟ୍ ହରାଇ ଚାଲିଥିବା ବେଳେ ଅନ୍ୟ ପଟେ ପ୍ରିୟାଂଶ ଆର୍ଯ୍ୟ ଆରମ୍ଭରୁ ଚେନ୍ନାଇ ବୋଲରଙ୍କୁ ନିର୍ମମ ପ୍ରହାର କରି ଚାଲିଥିଲେ । ୱିକେଟ୍ ପତନର ପ୍ରଭାବ ତାଙ୍କ ବ୍ୟାଟିଂ ଉପରେ ଦେଖିବାକୁ ମିଳି ନ ଥିଲା । ୮୩ ରନରେ ଦଳର ଅଧା ବ୍ୟାଟର ପାଭିଲିୟନ ଫେରିଥିଲେ ହେଁ ପ୍ରିୟାଂଶ ଚମତ୍କାର ବ୍ୟାଟିଂ କରି ଦଳର ସ୍ଥିତିକୁ ମଜବୁତ କରିଥିଲେ । ସେ ୧୯ ବଲରୁ ଅର୍ଦ୍ଧଶତକ ହାସଲ କରିବା ପରେ ୩୯ ବଲରୁ ଶତକ ପୂରଣ କରିଥିଲେ । ସେ ୪୨ ବଲରୁ ୭ ଚୌକା ଓ ୯ ଛକା ଜରିଆରେ ୧୦୩ ରନ କରିଥିଲେ । ଏଥିସହ ଦଳର ସ୍କୋରକୁ ୧୫୪ ରନରେ ପହଞ୍ଚାଇଥିଲେ । ଏହା ପରେ ଶଶାଙ୍କ ସିଂ ଓ ମାର୍କୋ ଜନସେନ ଦଳକୁ ୨୦୦ ପାର କରାଇଥିଲେ । ଶଶାଙ୍କ ୩୬ ବଲରୁ ୫୨ ରନ ଓ ଜନସେନ ୧୯ ବଲରୁ ୩୪ ରନ କରି ଅପରାଜିତ ଥିଲେ । ଫଳରେ ଦଳ ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ହରାଇ ୨୧୯ ରନର ବିଶାଳ ସ୍କୋର କରି ପାରିଥିଲା ।
ଜବାବରେ ଚେନ୍ନାଇ ଭଲ ଆରମ୍ଭ କରିଥିଲେ ମଧ୍ୟ ମନ୍ଥର ବ୍ୟାଟିଂ ଯୋଗୁଁ ଦଳ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରି ନ ଥିଲା । ରଚିନ ରବୀନ୍ଦ୍ର ୩୬ ରନ କରି ଆଉଟ୍ ହୋଇଥିଲେ । ଡେଭନ କନେଓ ୬୯ ରନ କରି ରିଟାୟର୍ଡ ଆଉଟ୍ ହୋଇଥିଲେ । କ୍ରିଜରେ ୧୮ତମ ଓଭର ପର୍ଯ୍ୟନ୍ତ ଥିଲେ ହେଁ ତାଙ୍କର ଧିମା ବ୍ୟାଟିଂ ଦଳ ପାଇଁ କାଳ ସାଜିଥିଲା । ଶିବମ ଦୁବେ ୪୨ ରନ କରିଥିଲେ । ଏମଏସ ଧୋନୀ ୧୨ ବଲରୁ ୨୭ ରନ କରିଥିଲେ ହେଁ ସେତେବେଳକୁ ଦଳର ଆବଶ୍ୟକ ରନ ରେଟ୍ ବହୁତ ଅଧିକ ଥିଲା । ଶେଷରେ ଚେନ୍ନାଇ ୫ ୱିକେଟ୍ ହରାଇ ୨୦୧ ରନ କରି ପାରିଥିଲା ।