କଟକ: କଟକର ବାରବାଟୀ ଷ୍ଟାଡିୟମରେ ଖେଳା ଯାଇଛି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ । ଦକ୍ଷିଣ ଆଫ୍ରିକା ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆର ଆରମ୍ଭ ଖରାପ ଥିଲା। ଭାରତର ଟପ୍-ଅର୍ଡର ବ୍ୟାଟର ବଡ଼ ସ୍କୋର କରିପାରି ନଥିଲେ। ତିଲକ ବର୍ମା ଭଲ ଆରମ୍ଭ କରିଥିଲେ କିନ୍ତୁ ଶେଷରେ ଏକ ଧୀର ଇନିଂସ ଖେଳି ଆଉଟ ହୋଇଥିଲେ।
ଏହି ମ୍ୟାଚ୍ରେ ତିଲକ ବର୍ମା ୩୨ ବଲ୍ରେ ୨୬ ରନ୍ କରି ଆଉଟ୍ ହୋଇଥିଲେ। ଏହି ସମୟରେ ସେ ଦୁଇଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ତିଲକ ତାଙ୍କ ଇନିଂସରେ ମାରିଥିବା ଛକାର ଭିଡିଓ ସୋସିଆଲ ମିଡିଆରେ ବହୁତ ଦ୍ରୁତ ଗତିରେ ଭାଇରାଲ ହେଉଛି। ତିଲକ ଭାରତୀୟ ଇନିଂସର ୧୦ମ ଓଭରରେ ଏହି ଛକା ମାରିଥିଲେ। ଦକ୍ଷିଣ ଆଫ୍ରିକା ପାଇଁ ଏନରିକ୍ ନୋର୍ଖିଆ ସେହି ଓଭର ବୋଲିଂ କରୁଥିଲେ। ସେ ଓଭରର ତୃତୀୟ ବଲ୍ରେ ଏହି ସଟ୍ ମାରିଥିଲେ। ବ୍ୟାଟ୍ରେ ବାଜିବା ପରେ ବଲ୍ ସିଧା ଷ୍ଟାଡିୟମ୍ ବାହାରକୁ ଚାଲିଯାଇଥିଲା। ସେ ନୋର୍ଖିଆ ବିପକ୍ଷରେ ୮୯ ମିଟର ଲମ୍ବା ଛକା ମାରିଥିଲେ।
ତିଲକ ବର୍ମା ୧୦୦୦ ଟି ୨୦ ରନ୍ ପୂରଣ
ଏହି ଇନିଂସ୍ ସମୟରେ ତିଲକ ବର୍ମା ଟି-୨୦ ଆନ୍ତର୍ଜାତୀୟ କ୍ୟାରିୟରରେ ୧୦୦୦ ରନ ପୂରଣ କରିଛନ୍ତି । ଏହି ମ୍ୟାଚ୍ ପୂର୍ବରୁ, ତିଲକ ୧୦୦୦ ଟି୨୦ ରନ୍ ପୂରଣ କରିବାରୁ ମାତ୍ର ଚାରି ରନ୍ ଦୂରରେ ଥିଲେ । ନିଜ ଇନିଂସରେ ମାତ୍ର ଚାରି ରନ୍ କରି ଏହି ମାଇଲଖୁଣ୍ଟ ହାସଲ କରିଥିଲେ। ତିଲକ ବର୍ମା ମାତ୍ର ୩୪ ଇନିଂସରେ ଏହି ମାଇଲଖୁଣ୍ଟ ହାସଲ କରିଥିଲେ। ସେ ଏପର୍ୟ୍ୟନ୍ତ ଟି୨୦ ଆନ୍ତର୍ଜାତୀୟରେ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ବର୍ତ୍ତମାନ ଭଲ ଫର୍ମରେ ଅଛନ୍ତି। ଏହା ସହିତ, ତିଲକ ବର୍ମା ଟି୨୦ ଆନ୍ତର୍ଜାତୀୟ ଫର୍ମାଟରେ ୧୦୦୦ କିମ୍ବା ତା\'ଠାରୁ ଅଧିକ ରନ୍ ସ୍କୋର କରିବାରେ ୧୩ତମ ଭାରତୀୟ ବ୍ୟାଟର ।
ପ୍ରଥମ ଟି-୨୦ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୫ ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୧୨.୩ ଓଭରରେ ୭୪ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏହି ବଡ଼ ବିଜୟ ସହିତ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ୧-୦ର ଅଗ୍ରଣୀ ହାସଲ କରିଛି।