ଢାକା: ଭାରତ ଗସ୍ତରେ ଥିବା ବାଂଲାଦେଶ କ୍ରିକେଟ୍ ଦଳ ରବିବାର ଟି-୨୦ ସିରିଜ୍ ପାଇଁ ଦଳ ଘୋଷଣା କରିଛି । ବର୍ତ୍ତମାନ ଦୁଇ ଦଳ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଦ୍ଵିତୀୟ ମ୍ୟାଚ୍ କାନପୁରରେ ଖେଳା ଯାଉଛି। ଏହା ପରେ ୩ ମ୍ୟାଚ୍ର ଟି-୨୦ ସିରିଜ୍ ଖେଳାଯିବ। ଏଥିପାଇଁ ଆଜି ନଜମୁଲ ହୁସେନ ସାଣ୍ଟୋଙ୍କ ନେତୃତ୍ଵାଧୀନ ୧୫ ଜଣିଆ ବାଂଲାଦେଶ ଦଳ ଘୋଷଣା କରାଯାଇଛି। ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିବା କାରଣରୁ ଦଳରୁ ତାରକା ଅଲରାଉଣ୍ଡର ଶାକିବ ଅଲ ହସନଙ୍କୁ ବାଦ୍ ଦିଆଯାଇଛି।
ବାଂଲାଦେଶ ଚୟନକର୍ତ୍ତା ଭାରତୀୟ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଏମିତି ତିନି ଜଣ ଖେଳାଳିଙ୍କ ଚୟନ କରିଛି, ଯେଉଁମାନେ ଗତ ଏକ ବର୍ଷ ଧରି ଟି-୨୦ ଦଳରୁ ବାହାରେ ଥିଲେ। ଏହି ତିନି ଖେଳାଳି ହେଉଛନ୍ତି ମେହଦି ହସନ ମିରାଜ, ପରଭେଜ ହୁସେନ ଇମୋନ ଓ ରକିବୁଲ ହସନ। ମେହଦି ଶେଷ ଥର ପାଇଁ ବାଂଲାଦେଶ ପକ୍ଷରୁ ୨୦୨୩ ଜୁଲାଇରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଅନ୍ୟପଟେ ଟି-୨୦ ବିଶ୍ଵକପ୍ ଖେଳିଥିବା ସୌମ୍ୟ ସରକାରଙ୍କୁ ଦଳରୁ ବାଦ୍ ଦିଆଯାଇଛି। ଅଲରାଉଣ୍ଡର ମେହମୁଦୁଲ୍ଲାଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି । ଟେଷ୍ଟ ଦଳର ପ୍ରାୟ ଖେଳାଳିଙ୍କୁ ଟି-୨୦ରେ ସୁଯୋଗ ମିଳିଛି ।
ଟେଷ୍ଟ ସିରିଜ୍ ପରେ ଭାରତ ଓ ବାଂଲାଦେଶ ମଧ୍ୟରେ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ ଅକ୍ଟୋବର ୬ରେ ଗ୍ଵାଲିୟରରେ ଖେଳାଯିବ। ଦ୍ଵିତୀୟ ମ୍ୟାଚ୍ ଅକ୍ଟୋବର ୯ ତାରିଖରେ ନୂଆଦିଲ୍ଲୀ ଓ ତୃତୀୟ ମ୍ୟାଚ୍ ଅକ୍ଟୋବର ୧୨ ତାରିଖରେ ହାଇଦ୍ରାବାଦରେ ଖେଳାଯିବ।
ବାଂଲାଦେଶ ଦଳ
ନଜମୁଲ ହୁସେନ ସାଣ୍ଟୋ(ଅଧିନାୟକ), ତଞ୍ଜିଦ ହସନ ତମିମ, ପରଭେଜ ହୁସେନ ଇମୋନ, ତୌହିଦ ହୃଦୟ, ମେହମୁଦୁଲ୍ଲା, ଲିଟନ ଦାସ, ଜାକିର ଅଲ୍ଲୀ, ମେହଦି ହସନ ମିରାଜ, ରିଶାଦ ହୁସେନ, ମୁସ୍ତାଫିଜୁର ରେହମାନ, ତସ୍କିନ ଅହମ୍ମଦ, ଶୋରିଫୁଲ ଇସ୍ଲାମ, ତଞ୍ଜିମ ହସନ ଶାକିବ ଓ ରକିବୁଲ ହସନ।
ଭାରତୀୟ ଦଳ
ସୂର୍ୟ୍ୟଦକୁମାର ଯାଦବ(ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ, ରିଙ୍କୁ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା, ରିୟାନ ପରାଗ, ନୀତିଶ ରେଡ୍ଡୀ, ଶିବମ ଦୁବେ, ଓ୍ଵାଶିଂଟନ ସୁନ୍ଦର, ରବି ବିଷ୍ନୋଇ, ବରୁଣ ଚକ୍ରବର୍ତ୍ତୀ, ଜିତେଶ ଶର୍ମା, ଅର୍ଶଦୀପ ସିଂ, ହର୍ଷିତ ରାଣା, ମୟଙ୍କ ଯାଦବ।