ଖବର ଓଡିଶା : 09/05/2023:
ପାକିସ୍ତାନ କ୍ରିକେଟ ବୋର୍ଡକୁ ଲାଗିଛି ବଡ ଝଟକା କାରଣ ପାକିସ୍ତାନରେ ଖେଳାଯିବନି ଏସିଆ କପ୍ । ପୂର୍ବରୁ ପାକିସ୍ତାନରେ ଏସିଆ କପ୍ ଖେଳାଯିବା ନେଇ ନିର୍ଦ୍ଧାରିତ ହୋଇଥିଲା । କିନ୍ତୁ ପାକିସ୍ତାନରେ ଏସିଆ କପ୍ ଖେଳାଗଲେ ଭାରତ ନିଜର ଟିମ୍ ପଠାଇବ ନାହିଁ ବୋଲି ସ୍ପଷ୍ଟ ମନା କରିଥିଲା । ଯାହାଫଳରେ ପାକିସ୍ତାନରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ କି ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଥିଲା । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଯେପରି ଭାରତ ଭାଗ ନେଇପାରିବ ସେଥିପାଇଁ ଏସିଆ କପରେ ହାଇବ୍ରିଡ ମଡେଲ ଆପଣାଇବାକୁ ପାକିସ୍ତାନ କହିଥିଲା ।
ହାଇବ୍ରିଡ ମଡେଲ ଅନୁସାରେ , ପାକିସ୍ତାନ ନିଜର ମ୍ୟାଚ୍ ହୋମ ଭେନ୍ୟୁରେ ଖେଳିବାକୁ ଥିବା ବେଳେ ଭାରତ ମ୍ୟାଚ୍ ପାଇଁ ଭାରତ ଏସିଆ କପରେ ଭାଗ ନେଇ ୟୁଏଇରେ ମ୍ୟାଚ୍ ଖେଳିଥାନ୍ତା । କିନ୍ତୁ ଏହି ହାଇବ୍ରିଡ୍ ମଡେଲକୁ ଅନ୍ୟ ଦେଶ ପସନ୍ଦ କରିନଥିଲେ । କାରଣ ଏହି ପ୍ରସାରଣକାରୀ ସଂସ୍ଥା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭିନ୍ନ ଭିନ୍ନ ଟିମ୍ ଭିନ୍ନ ଦେଶକୁ ପଠାଇବା ସପକ୍ଷରେ ନଥିଲେ । ସେହିଭଳି ଭାରତ ସହ ମ୍ୟାଚ୍ ଖେଳିବାକୁ ପାକିସ୍ତାନରୁ ୟୁଏଇକୁ ବିମାନରେ ଯିବା ଆସିବା ପ୍ରସ୍ତାବକୁ ମଧ୍ୟ ଏସିସିର ସଦସ୍ୟ ଖାରଜ କରିଥିଲେ । ଯେଉଁଥିପାଇଁ ଏସିସି ବୈଠକରେ ପାକିସ୍ତାନର ହାଇବ୍ରିଡ ମଡେଲକୁ କେହି ସମର୍ଥନ କରିନଥିଲେ । ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏସିଆ କପ ଆୟୋଜନ ରେସରେ ଏବେ ଶ୍ରୀଲଙ୍କା ଆଗରେ ରହିଛି । ଶ୍ରୀଲଙ୍କାର ଯେଉଁ କେତୋଟି ଷ୍ଟାଡିୟମ ଖେଳାଯିବ ପରସ୍ପର ମଧ୍ୟରେ ତାହାର ଦୂରତା କମ ରହିବ ତେଣୁ ଶ୍ରୀଲଙ୍କାର ବିଭିନ୍ନ ଷ୍ଟାଡିୟମକୁ ଯାତ୍ରା ପାଇଁ ଅଧିକ ସମୟର ଆବଶ୍ୟକତା ପଡିବନି । ତେବେ ଏଭଳି ନିଷ୍ପତ୍ତି ନିଆଯିବା ପାଇଁ କାର୍ଯ୍ୟକାରୀ ସମିତିର ଅନୁମତି ଆବଶ୍ୟକ । ତେଣୁ ଆସନ୍ତା ମାସରେ ଏନେଇ ଏସିସିର ବୈଠକ ହେବା ସହ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।