ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ତାରକା ଅଲରାଉଣ୍ଡର ଯୁବରାଜ ସିଂହଙ୍କ ବାପା ଯୋଗରାଜ ସିଂ ସର୍ବଦା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ବିରୁଦ୍ଧରେ ବୟାନ ଦେଇ ଆସିଛନ୍ତି । ତଥାପି ସେ କହିଛନ୍ତି ଯେ, କ୍ୟାପଟେନ କୁଲ ଧୋନୀ ଜଣେ ବଡ କ୍ରିକେଟର । ମୁଁ ମହେନ୍ଦ୍ର ସିଂହ ଧୋନୀଙ୍କ ସମ୍ମାନ କରୁଛି । ମାତ୍ର ବ୍ୟକ୍ତିଗତ ଭାବେ ସେ ମୋ ପୁଅ ଯୁବରାଜଙ୍କ ସହ ଯାହା କରିଛନ୍ତି ତାହା ପାଇଁ ମୁଁ କେବେ ତାଙ୍କୁ କ୍ଷମା କରିବି ନାହିଁ । ଏହା ବ୍ୟତୀତ ଯୋଗରାଜ ସିଂହ ପୁଅ ଯୁବରାଜଙ୍କୁ ଭାରତରତ୍ନରେ ସମ୍ମାନିତ କରିବା ପାଇଁ ଦାବି କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି, ଯୁବରାଜ ସିଂହଙ୍କ କ୍ୟାରିୟର ୪ ବର୍ଷ ପୂର୍ବେ ସମାପ୍ତ ହୋଇ ଯାଇଛି । ଆଉ ଏଥିପାଇଁ ମହେନ୍ଦ୍ର ସିଂହ ଧୋନୀ ହିଁ ଦାୟୀ ।
ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କ ବାପା ଯୋଗରାଜ ସିଂହ ଏକ ୟୁଟ୍ୟୁବ ଚ୍ୟାନେଲରେ ନିଜର ମନ କଥା କହିଛନ୍ତି । ଯୋଗରାଜ ଯୁବରାଜ ସିଂହଙ୍କ ସହିତ ମହେନ୍ଦ୍ର ସିଂହ ଧୋନୀ ଭେଦଭାବ କରିଥିବା ଅଭିଯୋଗ କରିଛନ୍ତି । ଏଥିପାଇଁ ପୂର୍ବତନ ଅଧିନାୟକଙ୍କୁ ପଶ୍ଚାତାପ କରିବା ଉଚିତ୍ । ଧୋନୀ ଜାଣିଶୁଣି ଯୁବରାଜ ସିଂହଙ୍କୁ ସୁଯୋଗ ଦେଇ ନ ଥିଲେ । ଏହି କାରଣରୁ ତାଙ୍କ କ୍ୟାରିୟର ସମୟ ପୂର୍ବରୁ ହିଁ ସମାପ୍ତ ହୋଇଗଲା ।
ଯୋଗରାଜ ଏହା ମଧ୍ୟ କହିଛନ୍ତି, ମୁଁ ଏମଏସ ଧୋନୀଙ୍କୁ କେବେ କ୍ଷମା କରିବି ନାହିଁ । ତାଙ୍କୁ ନିଜର ଚେହେରା ଦର୍ପଣରେ ଦେଖିବା ଉଚିତ୍ । ତଥାପି ସେ ଜଣେ ବହୁତ ବଡ କ୍ରିକେଟର । ତାଙ୍କୁ ମୁଁ ସଲାମ କରେ । ମାତ୍ର ସେ ମୋ ପୁଅ ସହ ଯାହା କିଛି କରିଛନ୍ତି ତାହା କ୍ଷମା ଯୋଗ୍ୟ ନୁହେଁ । ଏବେ ସବୁ କିଛି ସାମ୍ନାକୁ ଆସି ସାରିଛି ଏବଂ ମୁଁ ଆଦୌ ତାଙ୍କୁ କ୍ଷମା କରିବି ନାହିଁ । ମୁଁ ସମସ୍ତଙ୍କୁ ଚ୍ୟାଲେଞ୍ଜ କରୁଛି ଯେ, ସେମାନେ ଯୁବରାଜ ସିଂହଙ୍କ ପରି ପୁଅ ଜନ୍ମ କରି ଦେଖାନ୍ତୁ । ଏହା ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ୱାଗ ଓ ଗୌତମ ଗମ୍ଭୀର ଯୁବରାଜ ସିଂହଙ୍କୁ ଭାରତରତ୍ନ ଦେବାକୁ ଦାବି କରି ସାରିଛନ୍ତି ।