ଦୀର୍ଘ ୭ ବର୍ଷ ପରେ ଭାରତ ମାଟିରେ ପାକିସ୍ତାନ କ୍ରିକେଟ ଟିମ୍ । ଆସନ୍ତା ମାସରୁ ଭାରତରେ ହେବାକୁ ଦିନିକିଆ ବିଶ୍ୱକପ ପାଇଁ ପାକିସ୍ତାନ ଦଳ ଗତକାଲି ହାଇଦ୍ରାବାଦ ପହଞ୍ଚିଛି । ବିମାନବନ୍ଦରରେ ପାକିସ୍ତାନ କ୍ରିକେଟ ଟିମ୍ ର ଅଧିନାୟକ ବାବର ଆଜମ ଏବଂ ପୁରା ଟିମକୁ ଭବ୍ୟ ସ୍ୱାଗତ କରାଯାଇଛି । ଭିସା ମିଳିବାରେ ବିଳମ୍ବ ଯୋଗୁ ପାକିସ୍ତାନ ଟିମ ବିଳମ୍ବରେ ଭାରତ ପହଞ୍ଚିଛି ।
ଆସନ୍ତାକାଲିଠାରୁ ପାକିସ୍ତାନ ଟିମ ହାଇଦ୍ରାବାଦରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଅଭ୍ୟାସ ମ୍ୟାଚ ଖେଳିବ ଏବଂ ଅକ୍ଟୋବର ୩ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଅଭ୍ୟାସ ମ୍ୟାଚ ଖେଳିବ । ତେବେ ଆସନ୍ତା ଅକ୍ଟୋବର ୯ରୁ ନଭେମ୍ବର ୧୯ ତାରଖ ମଧ୍ୟରେ ଭାରତରେ ଆଇସିସିର ସବୁଠୁ ବଡ଼ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଦୁଇ ଦେଶ ମଧ୍ୟରେ ସୀମା ଏବଂ ଆତଙ୍କବାଦକୁ ନେଇ ବିବାଦ ଚାଲିଥିବାରୁ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳଙ୍କୁ ଏକାଠି ଦେଖିବାକୁ ମିଳୁଛି ।
ଅନ୍ୟପଟେ ବିଶ୍ୱକପ୍ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ସିରିଜକୁ ୨-୧ରେ ଜିତିଛି ଭାରତ । ଗତକାଲି ରାଜକୋଟରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ ୬୬ ରନରେ ହରାଇଛି । ଏହାସହ ସିରିଜକୁ ଭାରତର କ୍ଲିନସ୍ୱିପ କରିବା ଲକ୍ଷ୍ୟ ଚୁରମାର ହୋଇଥିଲା । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଭଲ ପ୍ରଦର୍ଶନ ସତ୍ୱେ ଭାରତ ମ୍ୟାଚ ଜିତିପାରିନାହିଁ । ରୋହିତ ଶର୍ମା ୮୧ ରନ କରିଥିବାବେଳେ ଓ ବିରାଟ କୋହଲି ଅର୍ଧଶତକ କରିଥିଲେ । ପ୍ରଥମେ ଅଷ୍ଟ୍ରେଲିଆ ବ୍ୟାଂଟି କରି ୫୦ ଓଭରରେ ୭ ୱିକେଟ ହରାଇ ୩୫୨ ରନ କରିଥିଲା । ଦଳ ପକ୍ଷରୁ ମିଚେଲ ମାର୍ସ ୯୬ ରନ କରିଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୩ଟି ୱିକେଟ ନେଇଥିଲେ । ଭାରତ ପ୍ରଥମେ ଭଲ ଖେଳିଥିଲେ ବି ୪୯.୪ ଓଭରରେ ୨୮୬ ରନରେ ଅଲଆଉଟ୍ ହେଇଯାଇଥିଲା ।
ଅଧିକ ପଢନ୍ତୁ ;- ଏସୀୟ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ