ମୁମ୍ବାଇ: ଦିନେ ନିଜର ସୁମଧୁର କଣ୍ଠ ସ୍ୱରରେ ଦର୍ଶକଙ୍କ ମନ କିଣୁ ଥିଲେ । ଆଉ ଏବେ ସିଏ ଆଇଏପିଏଲ୍ ପଡ଼ିଆରେ ବଲ୍ ଓ ବ୍ୟାଟକୁ ତୀକ୍ଷଣ୍ ଦୃଷ୍ଟିରେ ନଜର ରଖୁଛନ୍ତି । ସିଧା ସଙ୍ଗୀତ ମଞ୍ଚରୁ କ୍ରିକେଟ୍ ଗ୍ରାଉଣ୍ଡରେ ନିଜର ଯାଦୁ ଦେଖାଉଛନ୍ତି । ସେ ହେଉଛନ୍ତି ଗାୟକ ତଥା କ୍ରିକେଟ୍ ଅମ୍ପାୟାର ପରାଶର ଯୋଶୀ ।
ପରାଶର ଯୋଶୀ ମହାରାଷ୍ଟ୍ରର ପୁନେର ଅଟନ୍ତି । ୩୯ ବର୍ଷୀୟ ଏହି ଯୁବକ ବର୍ତ୍ତମାନ ଆଇପିଏଲରେ ଅମ୍ପାୟାର ରହିଛନ୍ତି । ସେ ଜଣେ ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ମଧ୍ୟ । ସୋନୀ ଟିଭିରେ ପ୍ରସାରିତ ଇଣ୍ଡିଆନ୍ ଆଇଡିଆଲ୍ ୨୦୦୮ରେ ଅଂଶ ଗ୍ରହଣ କରି ବିଚାରକ ଏବଂ ଦର୍ଶକଙ୍କୁ ନିଜର କଣ୍ଠରେ ଯାଦୁରେ ମତୁଆଲା କରୁଥିଲେ । ସେ ପିଆନୋ ରାଉଣ୍ଡ ଯାଏ ସିଲେକସନ୍ ହୋଇଥିଲେ । ସେ ତାଙ୍କର ଏହି ଯାତ୍ରା ଏବେବି ଜାରି ରଖିଛନ୍ତି । ଏହାରି ମଧ୍ୟରେ ସେ ଅମ୍ପାୟାରିଂ ମଧ୍ୟ କରୁଛନ୍ତି । ସେ କ୍ଲବରେ କ୍ରିକେଟ୍ ଖେଳୁଥିଲେ । ତେବେ ଏଥିରେ ତାଙ୍କୁ ବିଶେଷ କିଛି ସଫଳତା ମିଳି ନ ଥିଲା ।
ଏହା ପରେ ତାଙ୍କୁ ୨୦୧୫ରେ ବିସିସିଆଇର ଅମ୍ପାୟାର ପ୍ୟାନେଲରେ ସାମିଲ କରାଯାଇଥିଲା । ରଣଜୀ ଟ୍ରଫି ଏବଂ ଦିଲୀପ ଟ୍ରଫି ଭଳି ଟୁର୍ଣ୍ଣାମେଣ୍ଟରେ ଅମ୍ପାୟାରିଂ କରିବାର ସୁଯୋଗ ମିଳିଥିଲା । ୨୦୨୪ରେ ମହିଳା ଆଇପିଏଲରେ ସେ ଅମ୍ପାୟାରିଂ କରିବା ପରେ ଚଳିତ ବର୍ଷ ପୁରୁଷ ଆଇପିଏଲ ଦାୟିତ୍ୱରେ ରହିଛନ୍ତି । ଚେନ୍ନାଇ ସୁପର କିଙ୍ଗସ ଓ ଡେଲି କ୍ୟାପିଟାଲ୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ସିଏ ଅମ୍ପାୟାରିଂ କରିଛନ୍ତି ।