ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଓଭାଲରେ ଖେଳା ଯାଉଥିବା ପଞ୍ଚମ ଟେଷ୍ଟ ନିର୍ଣ୍ଣାୟକ ମୋଡରେ ପହଞ୍ଚି ସାରିଛି । ଆଜି ହେଉଛି ମ୍ୟାଚର ଚତୁର୍ଥ ଦିନ ଏବଂ ଫଳାଫଳ ବାହାରିବାର ଯଥେଷ୍ଟ ସମ୍ଭାବନା ରହିଛି । ଭାରତ ଦ୍ୱିତୀୟ ଇନିଂସରେ ୩୯୬ ରନ କରିବାରୁ ଇଂଲଣ୍ଡ ଆଗରେ ୩୭୪ ରନର ବିଜୟ ଲକ୍ଷ୍ୟ ରହିଛି । ଜବାବରେ ଇଂଲଣ୍ଡ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୧ ୱିକେଟ୍ ହରାଇ ୫୦ ରନ କରିଛି । ଘରୋଇ ଦଳକୁ ମ୍ୟାଚ୍ ଜିତିବା ପାଇଁ ୩୨୪ ରନ ଦରକାର ହେଉଥିବା ଭାରତକୁ ଦରକାର ୮ ୱିକେଟ୍ । କାରଣ କ୍ରିସ ୱକ୍ସ ଆହତ ହେବା କାରଣରୁ ବ୍ୟାଟିଂ କରି ପାରିବେ ନାହିଁ ।
ଇଂଲଣ୍ଡ ପକ୍ଷରୁ କ୍ରିଜରେ ବେନ ଡକେଟ୍ ୩୪ ରନ କରି ଅପରାଜିତ ଅଛନ୍ତି । ଗତକାଲି ଜ୍ୟାକ କ୍ରାଉଲି(୧୪ ରନ)ଙ୍କ ଆଉଟ୍ ସହ ଅମ୍ପାୟର ତୃତୀୟ ଦିନର ଖେଳ ସମାପ୍ତି ଘୋଷଣା କରିଥିଲେ । ଆଜି ପ୍ରତିଟି ରନ ପାଇଁ ଦୁଇ ଦଳ ମଧ୍ୟରେ କଡା ସଂଘର୍ଷ ଦେଖିବାକୁ ମିଳିବ । ଯଦି ଏହି ଟେଷ୍ଟ ଭାରତ ଜିତେ ତେବେ ସିରିଜ ୨-୨ରେ ବରାବର ହେବ । ଇଂଲଣ୍ଡ ଜିତିଲେ ସିରିଜ ୩-୧ରେ କବଜା କରିବ । ଓଭାଲ ପିଚରେ ଚତୁର୍ଥ ଇନିଂସରେ ବ୍ୟାଟିଂ କରିବା ସହଜ ନ ଥାଏ । ପୁଣି ୩୭୪ ରନ ବିଜୟ ଲକ୍ଷ୍ୟ ପିଛା କରିବା ଘରୋଇ ଦଳକୁ ମୁସ୍କଲ ହୋଇପାରେ । ଭାରତକୁ ଏବେ ବୋଲରଙ୍କ ଉପରେ ଭରସା ।
ସୂଚନାଯୋଗ୍ୟ, ଦ୍ୱିତୀୟ ଇନିଂସରେ ଯଶସ୍ୱୀ ଜୟସ୍ୱାଲ ୧୧୮ ରନର ଦମଦାର ଶତକୀୟ ଇନିଂସ ଖେଳିଥିଲେ । ନାଇଟ୍ ୱାଚମ୍ୟାନ ଆକାଶଦୀପ ୬୬ ରନ କରିଥିବା ବେଳେ ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦର ୫୩ ରନ ଲେଖାଏଁ କରି ଭାରତର ସ୍କୋରକୁ ୩୯୬ ରନରେ ପହଞ୍ଚାଇଥିଲେ । ଇଂଲଣ୍ଡ ପକ୍ଷରୁ ଜୋଶ ଟଙ୍ଗ ୫ଟି ୱିକେଟ୍ ନେଇଥିବା ବେଳେ ଗସ ଏଟକିନସନଙ୍କୁ ୩ଟି ଏବଂ ଜେମି ଓଭରଟନଙ୍କୁ ୨ଟି ୱିକେଟ୍ ମିଳିଥିଲା । ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୨୨୪ ରନ କରିଥିଲା । ଜବାବରେ ଇଂଲଣ୍ଡ ୨୪୭ ରନରେ ଅଲଆଉଟ୍ ହୋଇଥିଲା ।