ଲଣ୍ଡନ: ଓଭାଲରେ ଖେଳା ଯାଉଥିବା ଭାରତ ବନାମ ଇଂଲଣ୍ଡ ପଞ୍ଚମ ଟେଷ୍ଟର ଫଳାଫଳ ଶେଷ ଦିନ ଅର୍ଥାତ ପଞ୍ଚମ ଦିନକୁ ଯାଇଛି । ରୋମାଞ୍ଚକର ମୋଡରେ ପହଞ୍ଚିଛି ସିରିଜର ଶେଷ ମୁକାବିଲା । ସିରିଜର ଫଇସଲା ସୋମବାର ପ୍ରଥମ ସେସନରେ ହେବ । ଭାରତ ଦ୍ୱାରା ଧାର୍ଯ୍ୟ ୩୭୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଇଂଲଣ୍ଡ ୬ ୱିକେଟ୍ ହରାଇ ୩୩୯ ରନ କରିଛି । ବର୍ଷା କାରଣରୁ ଖେଳକୁ ଅବ୍ୟବହିତ ପୂର୍ବରୁ ବନ୍ଦ ରଖିବାକୁ ପଡିଛି । ଶେଷ ଦିନରେ ଇଂଲଣ୍ଡକୁ ଜିତିବା ପାଇଁ ୩୫ ରନ ଦରକାର ଥିବା ବେଳେ ଭାରତକୁ ଦରକାର ୪ ୱିକେଟ୍ । ଯଦି କ୍ରିସ ୱକ୍ସ ବ୍ୟାଟିଂ କରିବାକୁ ନ ଆସନ୍ତି ତେବେ ଭାରତକୁ ଜରୁରୀ ୩ ୱିକେଟ୍ । ତେବେ କୌଣସି ଚମତ୍କାର ହିଁ ଭାରତକୁ ମ୍ୟାଚରେ ଜିତାଇ ପାରିବ । କାରଣ ମ୍ୟାଚରେ ଘରୋଇ ଦଳର ପଲ୍ଲା ଭାରି ରହିଛି ।
ଚତୁର୍ଥ ଦିନର ପ୍ରଥମ ସେସନରେ ଭାରତ ଦୁଇଟି ୱିକେଟ୍ ଅକ୍ତିକାର କରି ଇଂଲଣ୍ଡକୁ ବ୍ୟାକଫୁଟକୁ ଠେଲିଥିଲା । ୫୪ ରନ କରି ଖେଳୁଥିବା ବେନ ଡକେଟ୍ ଏବଂ ଅଧିନାୟକ ଓଲି ପୋପ ୨୭ ରନ କରି ଆଉଟ୍ ହୋଇଥିଲେ । ୧୦୬ ରନରେ ୩ ୱିକେଟ୍ ହରାଇ ଚାପରେ ଥିଲା ଇଂଲଣ୍ଡ । ଲାଗୁଥିଲା ଭାରତ ମ୍ୟାଚ୍ ଜିତିଯିବ । ହେଲେ ଜୋ ରୁଟ୍ ଓ ହ୍ୟାରି ବ୍ରୁକ ପୂରା ଦିନିକିଆ ଏବଂ ଟି-୨୦ ଶୈଳୀରେ ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ନିର୍ଧୁମ ଛେଚିଥିଲେ । ଉଭୟ କେବଳ ଦଳ ଉପରୁ ଚାପ ହଟାଇ ନ ଥିଲେ ବରଂ ଦଳକୁ ବିଜୟର ଦ୍ୱାର ଦେଶରେ ପଞ୍ଚାଇ ଦେଇଛନ୍ତି । ଦୁଇ ବ୍ୟାଟର ଚତୁର୍ଥ ୱିକେଟ୍ ପାଇଁ ୧୯୫ ରନ ଯୋଡି ଭାରତକୁ ପରାଜୟ ଆଡକୁ ଠେଲି ଦେଇଛନ୍ତି । ତେବେ ବ୍ରୁକଙ୍କୁ ଆଉଟ୍ କରି ଆକାଶ ଦୀପ ଏହି ଯୋଡିକୁ ଭାଙ୍ଗିଥିଲେ । ବ୍ରୁକ ମାତ୍ର ୯୮ ବଲରୁ ୧୪ ଚୌକା ଓ ୨ ଛକା ସହ ୧୧୧ ରନର ଧୂଆଁଧାର ଶତକୀୟ ଇନିଂସ ଖେଳିଥିଲେ ।
ଲାଗୁଥିଲା ଇଂଲଣ୍ଡ ସହଜରେ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ମ୍ୟାଚ୍ ଜିତି ସିରିଜ କବଜା କରିବ । ହେଲେ ମ୍ୟାଚରେ ଟୁଇଷ୍ଟ ଆସିଥିଲା । ଜାକବ ବେଥେଲ(୫ ରନ)ଙ୍କୁ ପ୍ରସିଦ୍ଧ କୃଷ୍ଣା ବୋଲ୍ଡ କରିଥିଲେ । ଏହା ପରେ ଭାରତକୁ ଜୋ ରୁଟଙ୍କ ରୂପେ ସଫଳତା ମିଳିଥିଲା । ୧୦୫ ରନ କରି ଦଳର ଇନିଂସ ସମ୍ଭାଳିଥିବା ରୁଟଙ୍କୁ ଆଉଟ୍ କରି ପ୍ରସିଦ୍ଧ କୃଷ୍ଣା ଭାରତକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରାଇଛନ୍ତି । ଶେଷ ସେସନରେ ପ୍ରତି ରନ ପାଇଁ ଇଂଲଣ୍ଡ ସଂଘର୍ଷ କରିଥିବା ଦେଖିବାକୁ ମିଳିଥିଲା । ତେବେ ବର୍ଷା ହେବାରୁ ଅମ୍ପାୟର ଚତୁର୍ଥ ଦିନର ଖେଳ ଶେଷ ଘୋଷଣା କରିଥିଲେ । ଏବେ ସଭିଙ୍କ ଅପେକ୍ଷା ପଞ୍ଚମ ଦିନର ପ୍ରଥମ ସେସନ ଉପରେ । କାରଣ ଏହି ସେସନରେ ହିଁ ଭାରତ ହାରିପାରେ କିମ୍ବା ଜିତିପାରେ ।
ସୂଚନାଯୋଗ୍ୟ, ଭାରତ ପ୍ରଥମ ଇନିଂସରେ ୨୨୪ ରନ କରିଥିବା ବେଳେ ଇଂଲଣ୍ଡ ୨୪୭ ରନ କରି ୨୩ ରନ ଆଗୁଆ ରହିଥିଲା । ଭ୍ରମଣକାରୀ ଦଳ ଦ୍ୱିତୀୟ ଇନିଂସରେ ୩୯୬ ରନ କରି ଇଂଲଣ୍ଡକୁ ୩୭୪ ରନ ଟାର୍ଗେଟ୍ ଦେଇଛି ।