ବେଙ୍ଗାଲୁର: କର୍ଣ୍ଣାଟକ ରାଜ୍ୟ କ୍ରିକେଟ ସଂଘ(କେଏସସିଏ)ର ସଂପାଦକ ଏ ଶଙ୍କର ଓ କୋଷାଧ୍ୟକ୍ଷ ଇଏସ ଜୟରାମ ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଘଟିଥିବ ଦଳଚକଟା ଘଟଣାକୁ ଦୃଷ୍ଟିରେ ରଖି ଉଭୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଶନିବାର ଆୟୋଜିତ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ଉଭୟ ଦଳାଚକଟାରେ ନୈତିକତା ଭାବେ ନିଜକୁ ଦାୟୀ କରିଛନ୍ତି ।
ଆରସିବି ୧୮ ବର୍ଷ ପରେ ଟ୍ରଫି ଜିତିବା ପରେ ଜୁନ ୪ ତାରିଖରେ ଷ୍ଟାଡିୟମରେ ଉତ୍ସବ ସମାରୋହ ଆୟୋଜିତ ହୋଇଥିଲା । ଏହି ସମୟରେ ପ୍ରବଳ ଭିଡ କାରଣରୁ ଷ୍ଟାଡିୟମ ବାହାରେ ଦଳାଚକଟା ଘଟିଥିଲା । ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିବା ସହ ୫୦ରୁ ଉର୍ଦ୍ଧ୍ୱ ଆହତ ହୋଇଥିଲେ । ଏହା ପରେ କର୍ଣ୍ଣାଟକ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ବେଙ୍ଗାଲୁରୁ ପୋଲିସ କମଶନରଙ୍କ ସମେତ ଅନେକ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି । ଏହା ସହିତ ଆରସିବି ଫ୍ରାଞ୍ଚାଇଜର କିଛି ପଦାଧିକାରୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।
ଘଟଣାର ତିନି ଦିନ ପରେ କେଏସସିଏର ସଂପାଦକ ଏ ଶଙ୍କର ଓ କୋଷାଧ୍ୟକ୍ଷ ଇଏସ ଜୟରାମ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହି ଘଟଣା ପାଇଁ ନିଜକୁ ଦାୟୀ କରି ଉଭୟ ନିଜ ପଦ ଛାଡିବାକୁ ଘୋଷଣା କରିଛନ୍ତି । ଏ ନେଇ ଶନିବାର କେଏସସିଏ ପକ୍ଷରୁ ପ୍ରେସ ବିବୃତି ମଧ୍ୟ ଜାରି କରାଯାଇଛି । ଏଥିରେ ଉଲ୍ଲେଖ ରହିଛି ଯେ, ଗତ ଦିନରେ ଘଟିଥିବା ଅପ୍ରତ୍ୟାଶିତ ଓ ଦୁଭାର୍ଗ୍ୟପୂର୍ଣ୍ଣ ଘଟଣା କାରଣରୁ ଯେଉଁଥିରେ ଆମର ଭୂମିକା ବହୁତ ସୀମିତ ଥିଲା, ମାତ୍ର ନୈତିକତା କାରଣରୁ ଆମେ ଦୁହେଁ ସଂପାଦକ ଓ କୋଷାଧ୍ୟକ୍ଷ ପଦରୁ ଇସ୍ତଫା ଦେଉଛୁ ।