ଭୁବନେଶ୍ୱର : ଖବରକାଗଜ, ଲୋକଙ୍କୁ ଶିକ୍ଷା ଦେବା ଏବଂ ମତାମତକୁ ପ୍ରଭାବିତ କରି ଖବରକାଗଜ ସମାଜ ଗଠନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ତେଣୁ ଭାରତୀୟ ଖବରକାଗଜ ଦିବସ ପ୍ରତିବର୍ଷ ଜାନୁଆରୀ ୨୯ ରେ ପାଳନ କରାଯାଏ। ଏହି ଦିନ ଭାରତର ପ୍ରଥମ ଖବରକାଗଜ ହିକିର ବେଙ୍ଗଲ ଗେଜେଟର ଆନୁଷ୍ଠାନିକ ଭାବେ ପ୍ରକାଶିତ ହୋଇଥିଲା। ଖବରକାଗଜ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ରାଜନୀତି ଏବଂ ବିଶ୍ଵ ବ୍ୟାପାର ସମ୍ବନ୍ଧରେ ଅଦ୍ୟତନ ପ୍ରଦାନ କରିବା ହେଉଛି ଏହି ଦିବସର ମୂଳ ଲକ୍ଷ।
ଖବରକାଗଜର ଗୁଣବତ୍ତା :
ସ୍ବାଧୀନତା ଲାଭ ପୂର୍ବରୁ ଭାରତର ସ୍ବାଧୀନତା ଆନ୍ଦୋଳନକୁ ଆହୁରି ସକ୍ରିୟ କରିବାକୁ ଖବରକାଗଜକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଥିଲା। ସ୍ବାଧୀନତା ପରେ ମଧ୍ୟ ଖବରକାଗଜକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି ଉଦାହରଣ ଦିଆଯାଉଥିଲା। ଅଷ୍ଟାଦଶ ଶତାବ୍ଦୀରେ ପ୍ରଥମ ଭାରତୀୟ ଖବରକାଗଜ ଭାବେ ବେଙ୍ଗଲ ଗେଜେଟ୍ ବା କାଲକାଟା ଜେନେରାଲ୍ ଆଡ୍ଭର୍ଟାଇଜର ଇଂଲିଶ ଭାଷାରେ ତତ୍କାଳୀନ କଲିକତା ଓ ଏବେର କୋଲକାତା ମହାନଗରରୁ ପ୍ରକାଶ ପାଇଥିଲା।
ଭାରତରେ ବଙ୍ଗଳା ଭାଷାରେ ପ୍ରଥମ ଆଞ୍ଚଳିକ ଖବରକାଗଜ ଭାବେ ୧୮୧୮ ମେ ୨୩ରେ ସମାଚାର ଦର୍ପଣ ପ୍ରକାଶ ପାଇବା ପରେ ହିନ୍ଦୀ ଭାଷାରେ ପ୍ରଥମ ଖବରକାଗଜ ‘ସମାଚାର ସୁଧା ଦର୍ପଣ’ ୧୮୫୪ରେ ପ୍ରକାଶ ପାଇଥିଲା। ଏହା ପରେ କନ୍ନଡ଼, ମାଲୟାଲମ୍, ତାମିଲ୍ ପ୍ରଭୃତି ଭାଷାରେ ଖବରକାଗଜ ପ୍ରକାଶିତ ହୋଇଥିଲା ଓ ପ୍ରକୃତରେ ପ୍ରଥମ ଓଡ଼ିଆ ଖବରକାଗଜ ‘ଉତ୍କଳ ଦୀପିକା’ ସାପ୍ତାହିକ ଖବରକାଗଜ ଭାବେ ୪ ଅଗଷ୍ଟ ୧୮୬୬ରେ ମୁଦ୍ରିତ ହୋଇ ଲୋକପ୍ରିୟତା ଅର୍ଜନ କରିଥିଲା। ପରେ ପରେ ‘ସମାଜ’, ‘ଦୈନିକ ଆଶା’, ‘ପ୍ରଜାତନ୍ତ୍ର’ ଓ ଅନ୍ୟାନ୍ୟ ଖବରକାଗଜ ଆଦୃତ ହୋଇଥିଲା। ଏହାପରେ ଘରେ ଘରେ ସମସ୍ତେ ଖବରକାଗଜର ମହତ୍ୱ ଜାଣିଲେ ଏବଂ ପଠନ ପାଇଁ ବ୍ୟବହାର ମଧ୍ୟ କଲେ।
ଖବରକାଗଜ କିପରି ବଢାଏ ଜ୍ଞାନ :
*ଉନ୍ନତ ଭାଷା ଦକ୍ଷତା - ପ୍ରତିଦିନ ଖବରକାଗଜ ପଢିବା ଦ୍ୱାରା ଶବ୍ଦକୋଷ, ବ୍ୟାକରଣ ଏବଂ ଲେଖା ଦକ୍ଷତାକୁ ଉନ୍ନତ କରିଥାଏ। ଏହାସହିତ ନୂତନ ଶବ୍ଦ ଗଠନ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
*ସାଧାରଣ ଜ୍ଞାନ ବୃଦ୍ଧି - ଖବରକାଗଜ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ରାଜନୀତି ଏବଂ ବିଶ୍ଵ ବ୍ୟାପାର ସମ୍ବନ୍ଧରେ ଅଦ୍ୟତନ ପ୍ରଦାନ କରେ। ଏହି ଜ୍ଞାନ କୁଇଜ୍, ବିତର୍କ ଏବଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାରେ ସାହାଯ୍ୟ କରିଥାଏ।
*ସମାଜର ଉତ୍ତମ ବୁଝାମଣା - ଖବରକାଗଜ ମାଧ୍ୟମରେ ସାମାଜିକ ପ୍ରସଙ୍ଗ, ସରକାରୀ ନୀତି ଏବଂ ଜନମତ ବିଷୟରେ ଅଧିକ ଜ୍ଞାନ ମିଳିଥାଏ। ଏହାସହିତ ଏହା ଜଣେ ବ୍ୟକ୍ତି ନାଗରିକ ଭାବରେ ତାର ସାମାଜିକ ଅଧିକାର ଏବଂ ଦାୟିତ୍ଵ ବିଷୟରେ ଅଧିକ ଅବଗତ କରାଇଥାଏ।
ଅଧିକ ପଢନ୍ତୁ : ବଢ଼ିଲା ରାତିର ପାରଦସ୍ତର : ଆସନ୍ତା ଦୁଇଦିନ ଭିତରେ କମିବ ଶୀତ