ଭୁବନେଶ୍ୱର: ଡ୍ରାଇଭର ସଂଘ ଆନ୍ଦୋଳନକୁ ନେଇ ହୀନ ଷଡ଼ଯନ୍ତ୍ର କରୁଥିବା କଂଗ୍ରେସର ଅସଲମୁଖା ପଦାରେ ପଡ଼ି ସାରିଛି । ନିଜର ନ୍ୟସ୍ତ ସ୍ୱାର୍ଥ ପାଇଁ ପ୍ରଥମେ ଆନ୍ଦୋଳନକୁ ସ୍ଥଗିତ ରଖିବା ଏବଂ ପୁଣି ଆଜି ଆନ୍ଦୋଳନକୁ ସମର୍ଥନ କରିବାକୁ ଘୋଷଣା କରିଛି । ଯେଉଁଠି ସାଧାରଣ ଜନତା ହନ୍ତସନ୍ତ ହେଉଥିଲେ ସେତେବେଳେ ପିସିସି ସଭାପତି ଭକ୍ତ ଚରଣ ଦାସ କେବଳ କଂଗ୍ରେସ ଗାଡ଼ିକୁ ଛାଡ଼ିବାକୁ ଅନୁରୋଧ କରିଥିଲେ । ଏବେ କଂଗ୍ରେସ ସବୁ ସ୍ଥାନରେ ଡ୍ରାଇଭର ସଂଘର ଆନ୍ଦୋଳନକୁ ସମର୍ଥନ କରିବା ବୋଲି ଭକ୍ତ ଦାସ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଏହା ସହିତ ବିଜେପି ଉପରେ ବର୍ଷିଛନ୍ତି ଭକ୍ତ ଦାସ । ବିଜେପି ଚାହୁଁଥିଲା କଂଗ୍ରେସ ସମାବେଶ ବିଫଳ ହେଉ ବୋଲି କହିଛନ୍ତି ପିସିସି । ୧୦ ଲକ୍ଷ ଡ୍ରାଇଭର୍ଙ୍କ ପାଇଁ ନୀତ ନିୟମ ବୋଲି କିଛି ନାହିଁ । ଏନେଇ ରାହୁଲ ଗାନ୍ଧୀ ତାଙ୍କ ପାଇଁ ସ୍ୱର ଉଠାଇଲେ । ଡ୍ରାଇଭର୍ ଆନ୍ଦୋଳନକୁ କଂଗ୍ରେସ ସବୁ ଜାଗାରେ ସମର୍ଥନ କରିବ । ଯଥାଶୀଘ୍ର ଡ୍ରାଇଭରଙ୍କ ସମସ୍ୟାର ସମାଧାନ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି ।
ଅନ୍ୟପକ୍ଷରେ ବିଜେପି ବିଧାୟକ ବାବୁ ସିଂ ଡ୍ରାଇଭର ସଂଘର ଆନ୍ଦୋଳନରେ ରାଜନୈତିକ ଅଭିସନ୍ଧିର ଗନ୍ଧ ବାରିଛନ୍ତି । କିଛି ବ୍ୟକ୍ତି ଆନ୍ଦୋଳନକୁ ରାଜନୀତିର ରୂପ ଦେଉଛନ୍ତି । କିଛି ବ୍ୟକ୍ତି ନିଜ ସ୍ୱାର୍ଥ ଉଦ୍ଦେଶ୍ୟରେ ଉଦଜୀବିତ ରଖୁଛନ୍ତି । ସରକାର ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରିଛନ୍ତି ନିଷ୍ପତ୍ତି ବି ନେଇଛନ୍ତି ଏବଂ ସରକାରଙ୍କ ସହ ସିଧାସଳଖ ଆଲୋଚନା ହୋଇଛି । ବୈଠକରେ ଦାବୀ ଶୀଘ୍ର ପୂରଣ ନେଇ ନିଷ୍ପତ୍ତି ନିଆଗଲା । ସକାଳୁ ଆନ୍ଦୋଳନରୁ ଓହରିବେ ବୋଲି ମଧ୍ୟ ନିଷ୍ପତ୍ତି ନେଲେ । କିନ୍ତୁ ବୈଠକର 3 ଦିନ ପରେ ବି ଆନ୍ଦୋଳନ ବନ୍ଦ କଲେ ନାହିଁ । ଓଡ଼ିଶା ବାସି ୫ ଦିନ ହେଲା କଷ୍ଟ ପାଇଲେଣି । ପେଟ୍ରୋଲ, ଡିଜେଲ, ଅତ୍ୟାବଶ୍ୟକ ସାମଗ୍ରୀ ଏମିତିକି ଛତିଶଗଡ଼ରୁ ଆସୁଥିବା ପରିବା ଟ୍ରକକୁ ବି ଅଟକାଇ ଭଙ୍ଗାରୁଜା କରିବାର ଦୃଷ୍ଟାନ୍ତ ରହିଛି । ଏଭଳି କାମରୁ କ୍ଷାନ୍ତ ରହିବାକୁ ବାବୁ ସିଂ ପରାମର୍ଶ ଦେଇଛନ୍ତି । ତେଣୁ ଆନ୍ଦୋଳନରୁ ଓହରିବାକୁ ସେ ଅନୁରୋଧ କରିଛନ୍ତି ।