ଭୁବନେଶ୍ୱର: ହନିଟ୍ରାପ୍ ମାମଲାରେ ଗିରଫ ହୋଇଥିବା ଚର୍ଚ୍ଚିତ ମହିଳା ଅର୍ଚ୍ଚନା ନାଗ ବିଜୁ ଜନତା ଦଳର ବହୁ ବରିଷ୍ଠ ନେତା ଏବଂ ବଡ଼ ବଡ଼ ପୋଲିସ ଅଧିକାରୀଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ତାଙ୍କ ସହିତ ତାଙ୍କର ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା । ତାଙ୍କ ପଛରେ ଛୁରା ମରାଯାଇଥିଲା । ଏପରିକି ଜେଲ ଭିତରେ ତାଙ୍କୁ ମାରିଦେବାକୁ ଷଡ଼ଯନ୍ତ୍ର କରାଯାଇଥିଲା । ଆଉ ଏଥିରେ ବିଜେଡ଼ିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସଙ୍କଠାରୁ ଆରମ୍ଭ କରି ପୋଲିସ ଅଧିକାରୀ ପ୍ରତୀକ ସିଂହ ପର୍ୟ୍ୟନ୍ତ ସାମିଲ ଥିଲେ । ତାଙ୍କ ପାଖରେ ଠୋସ୍ ପ୍ରମାଣ ରହିଥିବା ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଖୁଲମଖୁଲା କହିଛନ୍ତି ଅର୍ଚ୍ଚନା ନାଗ ।
୨ ଦିନ ପୂର୍ବରୁ ଗୃହବନ୍ଦୀ
ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ କରିବା ପରେ ଆଜି ବଡ଼ ବଡ଼ ବିରୋଧୀ ଦଳ ନେତାଙ୍କ ସହିତ ପୋଲିସ ବାବୁଙ୍କ ନାଁ ସାମ୍ନାକୁ ଆଣିଛନ୍ତି । ଅର୍ଚ୍ଚନା କହିଛନ୍ତି ଯେ ଗିରଫ କରିବା ୨ ଦିନ ପୂର୍ବରୁ ତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା । ୨୦୨୨ ଅକ୍ଟୋବର ୬ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା, କିନ୍ତୁ ଅକ୍ଟୋବର ୪ ତାରିଖରୁ ତାଙ୍କୁ ବାଲିଅନ୍ତା ଥାନାରେ ଅଟକ ରଖାଯାଇଥିଲା । ଖାଲି ସେତିକି ନୁହେଁ ତାଙ୍କ ପୁଅ, ଘରର ହେଲପର୍, ଡ୍ରାଇଭର ଏବଂ ପୁଅଙ୍କୁ ମଧ୍ୟ ୭୨ ଘଣ୍ଟା ଯାଏ ଅଟକ ରଖାଯାଇଥିଲା । ଏମିତିକି କିଏ ଅଭିଯୋଗ କରିଥିଲେ ସେ ମଧ୍ୟ ଜାଣି ନ ଥିଲେ । ଖଣ୍ଡଗିରି ଥାନା ଅଭିଯୋଗ ହୋଇଥିଲେ ମଧ୍ୟ ତାଙ୍କୁ ବାଲିଅନ୍ତାରେ ରଖାଯାଇଥିଲା । ଅକ୍ଟୋବର ୬ ତାରିଖରେ ସେ କଣ ମାମଲା ଏବଂ ଅଭିଯୋଗକାରିଣୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ବାବଦରେ ଜାଣିଥିଲେ ।
ପ୍ରମାଣ ନଷ୍ଟ କରାଯାଇଛି
ଅର୍ଚ୍ଚନା ଆହୁରି କହିଛନ୍ତି ଯେ ଗିରଫ କରାଯିବା ପରେ ସମସ୍ତ ପ୍ରମାଣକୁ ମଧ୍ୟ ନଷ୍ଟ କରାଯାଇଛି । ତାଙ୍କର ଘରର ସିସିଟିଭି ଫୁଟେଜର ହାର୍ଡଡିସ୍କ ମିଳି ନ ଥିଲା କିମ୍ବା ଗୋଟିଏ ପେନଡ୍ରାଇଭ୍ ବି ମିଳିନଥିଲା । ତଦନ୍ତକାରୀ ଅଧିକାରୀଙ୍କୁ କୌଣସି ପ୍ରମାଣ ପୋଲିସ ଦେଇ ନ ଥିଲା ।
ବିଜେଡ଼ି ନେତା ଏବଂ ପୋଲିସ ଅଧିକାରୀ ସାମିଲ
ଆଉ ଏହି ଷଡ଼ଯନ୍ତ୍ରରେ କିଏ କିଏ ସାମିଲ ଥିଲେ ତାହା ମଧ୍ୟ ସେ କହିଛନ୍ତି । ସେ ବହୁ ବଡ଼ ବଡ଼ ବିଜେଡ଼ି ନେତାଙ୍କ ସହିତ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ନାମ କହିଛନ୍ତି । ଏଥିରେ ପ୍ରଣବ ପ୍ରକାଶ ଦାସ (ବବି ଦାସ), କର୍ପୋରେଟର୍ ଅମରେଶ ଜେନା ଓ ମାନସ ମଙ୍ଗରାଜଙ୍କ ନାମ ସାମିଲ ରହିଛି । ସେହିପରି ତତ୍କାଳୀନ ଡିସିପି ପ୍ରତୀକ ସିଂ, ଏଡିସିପି ପ୍ରକାଶ ପାଲ, ଏସିପି ହିମାଂଶୁ ସ୍ୱାଇଁ ଏବଂ ଅନୁପ କାନୁନଗୋ । ଏହା ସେ ନୁହେଁ ବରଂ ଅଭିଯୋଗ କରିଥିବା ମହିଳା ତାଙ୍କୁ କୋର୍ଟ ପରିସରରେ କହିଛନ୍ତି । ଏଥିପାଇଁ ତାଙ୍କୁ ଟଙ୍କା ଦିଆଯାଉଥିଲା । ନିର୍ବାଚନ ପରେ ଆଉ ଟଙ୍କା ଦିଆଯାଉନଥିବା ଅଭିଯୋଗକାରୀ ମହିଳା କହିଥିବାର ରେକର୍ଡିଂ ଅର୍ଚ୍ଚନା ରଖିଥିବା କହିଛନ୍ତି ।
ଜେଲରେ ମାରି ଦେବାକୁ ହୋଇଥିଲା ଷଡ଼ଯନ୍ତ୍ର
ଖାଲି ସେତିକି ନୁହେଁ ବିଜେଡ଼ି ନେତାମାନେ ଜେଲକୁ ସମ୍ପୂର୍ଣ୍ଣ ପରିଚାଳନା କରୁଥିଲେ । ତାଙ୍କୁ ଝାରପଡ଼ା ଜେଲରେ ମାରିଦେବାକୁ ଏବଂ ପାଗଳି ସଜାଇବାକୁ ଷଡ଼ଯନ୍ତ୍ର ରଚାଯାଇଥିଲା । ବାରମ୍ବାର ପୋଲିସ ଅଧିକାରୀମାନେ ଜେଲ ଗସ୍ତ କରୁଥିଲେ । କେବଳ ଅନ୍ୟ କଏଦୀଙ୍କ ସହଯୋଗ ସେ ବଞ୍ଚିକି ଆସିଥିବା କହିଛନ୍ତି । ତେଣୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ସେ ଦାବି କରିଛନ୍ତି । ଯଦି ଦୋଷୀ ଥିବେ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ଅଛନ୍ତି କିନ୍ତୁ ସମସ୍ତଙ୍କ ଷଡ଼ଯନ୍ତ୍ରକୁ ସେ ସାମ୍ନାକୁ ଆଣିବେ କହିଛନ୍ତି ।
ପ୍ରକାଶ ଯୋଗ୍ୟ, ୨୦୨୨, ଅକ୍ଟୋବର ୬ରେ ଅର୍ଚ୍ଚନା ଗିରଫ ହୋଇ ଜେଲ ଯାଇଥିଲେ। ଅର୍ଚ୍ଚନାଙ୍କ ବେଆଇନ କାର୍ୟ୍ୟକଳାପ ଓ କଳାଟଙ୍କା ପ୍ରସଂଗ ସମ୍ମୁଖକୁ ଆସିବା ପରେ ଇଡି ଘଟଣାର ତଦନ୍ତ କରିଥିଲା। ୨୦୨୨, ଡିସେମ୍ବର ୧୩ରେ ଇଡି ଅର୍ଚ୍ଚନାଙ୍କୁ ଗିରଫ କରିଥିଲା। ଅର୍ଚ୍ଚନାଙ୍କ ତରଫରୁ ଆଇନଜୀବ ଜୟଦୀପ ପାଲ ମାମଲା ପରିଚାଳନା କରୁଥିଲେ । ବଡ଼ ବଡ଼ ନେତାଙ୍କୁ ଫସାଇ ସେ କୋଟି କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ସେହିପରି ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ସମସ୍ତ ମାମଲାରେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ୨୦୨୩ ଡିସେମ୍ବର ୧୨ ତାରିଖରେ ସେ ଜେଲରୁ ମୁକୁଳିଥିଲେ ।