ବାଲେଶ୍ବର: ବଜ୍ରପାତ ନେଲା ୩ ଜୀବନ । ଏପରି ଏକ ଅଭାବନୀୟ ଘଟଣା ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳ ରାଇପାଳ ନିକଟରେ ଘଟିଛି। ମୃତକମାନେ ମାମି ସିଂ, ବଢ଼େଇପଲା ଓ ଅଜିତ କୁମାର ହାଜିଦା।
ସୂଚନା ଅନୁସାରେ, ନୀଳଗିରି ଅଞ୍ଚଳ ବରହମପୁର ଥାନା ଛତ୍ରପୁରରେ କେନାଲ କାମ ଚାଲିଥିଲା । ଏହି ସମୟରେ ବର୍ଷା ସହ ବଜ୍ରପାତ ମଧ୍ୟ ହୋଇଥିଲା । କାମ କରୁଥିବା ଶ୍ରମିକମାନେ ପାଖରେ ଥିବା ଏକ ଘରକୁ ପଳାଇଆସିଥିଲେ । ସେଠାରେ ହଠାତ ବଜୁଳି ମାରିଥିଲା ଫଳରେ ୫ ଜଣ ଶ୍ରମିକ ଟଳିପଡ଼ିଥିଲେ। ତୁରନ୍ତ ସେଠାରେ ଉପସ୍ଥିତ ଥିବା ଶ୍ରମିକମାନେ ୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବରହମପୁର ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ୩ ଜଣ ହେଲେ ଦୁଇ ମହିଳା ଓ ଜେସିବି ଅପରେଟର ।
ଏନେଇ ବରହମପୁର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି।