ବାଲେଶ୍ବର: ଫକୀର ମୋହନ ମହାବିଦ୍ୟାଳୟର ଗେଟ୍ ସମ୍ମୁଖରେ ଏକ ଅଭାବନୀୟ ଘଟଣା ଘଟିଛି । ପେଟ୍ରୋଲ ଢାଳି ନିଆଁ ଲଗାଇ ନିଜକୁ ଜାଳିଦେଲେ ଛାତ୍ରୀ । କଲେଜ ଅଧ୍ୟାପକ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଧାରଣା ଦେଇ ଏପରି କାଣ୍ଡ ଭିଆଇଛନ୍ତି । ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଛାତ୍ରୀ ବି ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟ ଛାତ୍ରୀ ବାଲେଶ୍ବର ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ବୋଲି ସୂଚନା ମିଳିଛି ।
ଗୁରୁତର ଥିବା ଛାତ୍ରୀ ଜଣଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ିଛି,ଅବସ୍ଥା ସଂକଟାପନ୍ନ ରହିଛି ବୋଲି ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି । ଏହି ଘଟଣା ଘଟିବା ସମୟରେ ଅଫିସ୍ କର୍ମଚାରୀ ଥିଲେ କିନ୍ତୁ କେହି ବି ବଞ୍ଚାଇବାକୁ ଚେଷ୍ଟା କଲେନି ବୋଲି ଅଭିଯୋଗ ହୋଇଛି । ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । ମହାବିଦ୍ୟାଳୟ ପରିସରଠାରୁ ହସ୍ପିଟାଲ୍ ପର୍ଯ୍ୟନ୍ତ ସବୁଠି ଅସନ୍ତୋଷ ପ୍ରକାଶ ପାଇଛି ।