ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିବେ ମହାମହିମ । ଆସନ୍ତା ୧୪ ଓ ୧୫ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୧୪ରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀରୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହା ପରେ AIIMS ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବେ । ରାଷ୍ଟ୍ରପତିଙ୍କ ଭୁବନେଶ୍ବର ଗସ୍ତ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯିବ । ସୁରକ୍ଷା ବ୍ୟବସ୍ଥା ପାଇଁ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ । ରାଜଭବନ ସମେତ ବିଭିନ୍ନ ଟ୍ରାଫିକ୍ ପୋଷ୍ଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି କମିଶରନରେଟ୍ ପୋଲିସ ପକ୍ଷରୁ କାର୍କେଡ୍ ରିହର୍ସଲ୍ କରାଯିବ । ଏନେଇ ଭୁବନେଶ୍ବର ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି । ମହାମହିମଙ୍କ ଗସ୍ତ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ।
ଆସନ୍ତା ୧୫ ତାରିଖରେ କଟକ ରେଭେନ୍ସା ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, ରେଭେନ୍ସା ବାଳିକା ହାଇସ୍କୁଲର କାର୍ଯ୍ୟକ୍ରମ ଏବଂ ଇଣ୍ଡୋର ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ସାରଳା ସାହିତ୍ୟ ସଂସଦର ସମାରୋହରେ ଯୋଗଦେବେ । ସମାବର୍ତ୍ତନ ଉତ୍ସବ ଅବସରରେ ବିଶ୍ବବିଦ୍ୟାଳୟ ୮୪ ଜଣ ୟୁଜି ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ, ୬ ଜଣ ଛାତ୍ରଛାତ୍ରୀଙ୍କୁ ସର୍ବଶ୍ରେଷ୍ଠ ସ୍ନାତକ, ୭୬ଜଣ ସ୍ନାତକୋତର ଛାତ୍ର ଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ, ୧୪୪ଜଣଙ୍କୁ PHD, ଜଣେ DLT ଓ ଜଣେ DSCଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରିବେ । ଆସନ୍ତା ୧୫ ତାରିଖରେ ସଂଧ୍ୟାରେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି ।