ବାଲେଶ୍ୱର: ଫକୀର ମୋହନ ମହାବିଦ୍ୟାଳୟ ପରିସରରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମରେ ପରେ ଉଚ୍ଚ ଶିକ୍ଷା ବିଭାଗ ଆକ୍ସନ୍ସ ମୁଡକୁ ଆସିଛି । ତ୍ୱରିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ କଲେଜ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଏବଂ ଏଜୁକେସନ୍ ବିଭାଗର ମୁଖ୍ୟ ସମୀର ସାହୁଙ୍କୁ ନିଲମ୍ବିତ କରିଛି ଉଚ୍ଚ ଶିକ୍ଷା ବିଭାଗ । କାର୍ଯ୍ୟରେ ଅବହେଳା ପାଇଁ ଅଧ୍ୟକ୍ଷଙ୍କୁ ନିଲମ୍ବନ କରାଯାଇଛି । ଆହୁରି ନିର୍ଦ୍ଦେଶ ଦିଆଯାଇଛି ଯେ ନିଲମ୍ବନ ଅବଧି ମଧ୍ୟରେ ଦିଲ୍ଲୀପ ଘୋଷଙ୍କ ମୁଖ୍ୟାଳୟ ବାଲେଶ୍ୱରର ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟରେ ସ୍ଥିର କରାଯିବ । ଏହା ସହିତ ସେ ଜିଲ୍ଲା ଏବଂ ମାଜିଷ୍ଟ୍ରେଟଙ୍କ ପୂର୍ବ ଅନୁମତି ବିନା ମୁଖ୍ୟାଳୟ ଛାଡିବେ ପାରିବେ ନାହିଁ।
ସେପଟେ ସହଦେବଖୁଣ୍ଟା ଥାନା ପୋଲିସ ଏଚ୍ଓଡି ସମୀର ସାହୁଙ୍କୁ ଅକଟ ରଖି ପଚରାଉଚରା କରିବା ପରେ ଗିରଫ କରାଯାଇଛି । ଗିରଫ ପରେ ତାଙ୍କ ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ ହୋଇଛି । ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଜଣେ ଉଚ୍ଚସ୍ତରୀୟ ମହିଳା ଯୁଗ୍ମ ସଚିବ ଅଧିକାରୀ, ବରିଷ୍ଠ ସିନିୟର୍ ଏକାଡେମୀସିଆନ, ଅନ୍ୟ କଲେଜର ମହିଳା ଅଧ୍ୟକ୍ଷାଙ୍କୁ ନେଇ ଏକ କଲେଜର କମିଟି ଗଠନ କରାଯାଇଛି । କମିଟି ରିପୋର୍ଟ ଆସିବା ପରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭବିଷ୍ୟତରେ ଆଉ ଏପରି କେହି କରିବାକୁ ସାହାସ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ଅନ୍ୟପକ୍ଷରେ ପୀଡ଼ିତ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ଏମ୍ସର ବର୍ଣ୍ଣ ୟୁନିଟରେ 12 ଜଣିଆ ଡାକ୍ତରୀ ଟିମ୍ ଚିକିତ୍ସାରେ ନିୟୋଜିତ ହୋଇଛନ୍ତି । ଅନ୍ୟପଟେ ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଦୁଇ ଜଣ ଛାତ୍ର ଆହତ ହୋଇଛନ୍ତି। ସେମାନେ ବାଲେଶ୍ୱର ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି ।
ଏଚ୍ଓଡି ସମୀର ସାହୁ ଛାତ୍ରୀ ଜଣକଙ୍କୁ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଛାତ୍ରୀ ଜଣକ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ସତ୍ତ୍ୱେ ତାଙ୍କ କଥା କେହି ଶୁଣିନଥିଲେ । ଅନ୍ୟପଟେ ଛାତ୍ରୀ ଜଣକ ଅଧ୍ୟାପକ ଅସଦାଚରଣ କରୁଥିବା ନେଇ ଥାନାର ମଧ୍ୟ ଦ୍ୱାରସ୍ଥ ହୋଇଥିଲେ । ପୋଲିସ ଛାତ୍ରୀଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା । ଆଜି କଲେଜ ଅଧ୍ୟକ୍ଷ ପୀଡିତା ଛାତ୍ରୀଙ୍କୁ କଥା ହେବା ପାଇଁ ଡାକିଥିଲେ। ପ୍ରିନ୍ସିପାଲଙ୍କ ପ୍ରକୋଷ୍ଠରୁ ବାହାରିବା ପରେ ଛାତ୍ରୀ ଜଣକ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ ବୋଲି ଜଣାପଡ଼ିଛି ।