ଭୁବନେଶ୍ୱର: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସି ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଆଦାନୀଙ୍କ ପୁରୀ ଗସ୍ତ ନେଇ କଡ଼ା ସମାଲୋଚନା କରିଥିବାବେଳେ କଂଗ୍ରେସ ପାଇଁ ଆନ୍ଦୋଳନକୁ କୋହଳ କରିଥିବାର ଧନ୍ୟବାଦ ମଧ୍ୟ ଦେଇଛନ୍ତି । ରାହୁଲଙ୍କ ମନ୍ତବ୍ୟକୁ କାଉଣ୍ଟର କରିଛି ରାଜ୍ୟ ବିଜେପି । ରାହୁଲ ଗାନ୍ଧୀ ଅବାନ୍ତର ଓ ଅବାଞ୍ଛିତ କଥା କୁହନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ସେପଟେ ପ୍ରଦୀପ ପୁରୋହିତ କହିଛନ୍ତି ରାଜ୍ୟବାସୀ ସରକାରଙ୍କ ଉପରେ ଖୁସି ଅଛନ୍ତି ତେଣୁ ରାହୁଲ ଖୁସି ନ ହେଲେ କିଛି ଫରକ୍ ପଡ଼ିବ ନାହିଁ ।
ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତକୁ ରାଜ୍ୟ ରାଜନୀତିର ପାଣିପାଗ ଆଜି ଉଷ୍ଣ ଅଛି । ସାଧାରଣ ସଭାରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରିଥିବା ରାହୁଲଙ୍କ ମନ୍ତବ୍ୟକୁ ଅବାନ୍ତର ଓ ଅବାଞ୍ଛିତ କହିଛନ୍ତି ଆଇନ ମନ୍ତ୍ରୀ । ରାହୁଲ ରଥଯାତ୍ରାକୁ ନେଇ ସରକାରଙ୍କ ଉପରେ ବର୍ଷିଥିବାବେଳେ ଜବାବରେ ଆଇନ ମନ୍ତ୍ରୀ କହିଛନ୍ତି ତାହା ତାଙ୍କର ପ୍ରାକୃତିକ ଅଭ୍ୟାସ, ଏଭଳି ଅବାଞ୍ଛିତ କଥାରେ କିଛି ଉତ୍ତର ନ ଥାଏ । ବଳଭଦ୍ରଙ୍କ ରଥ ବାରମ୍ବାର ମୋଡ଼ ନେବାରୁ ସମସ୍ୟା ସୃଷ୍ଟି ହୋଇଥିଲା । ସେଥିପାଇଁ ଜଗନ୍ନାଥଙ୍କ ରଥକୁ ଅଳ୍ପ ଟାଣି ବିଧି ମୁତାବକ ରଖାଯାଇଥିଲା । ଦ୍ଵିତୀୟ ଦିନ ସୁରୁଖୁରୁରେ ରଥଟଣା କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଆଦାନୀ ଜଣେ ଭକ୍ତ ହିସାବରେ ପରଦିନ ଦର୍ଶନ ପାଇଁ ଆସିଥିଲେ । ରଥ ସବୁବେଳେ ଦ୍ଵିତୀୟ ଦିନ ଲାଗେ, କେବଳ କରୋନା ବେଳେ ଠିକ୍ ସମୟରେ ଲାଗିଥିଲା । ତାହା ବାଦ୍ କେବେ ବି ରଥ ଗୋଟିଏ ଦିନରେ ପହଞ୍ଚି ପାରିନାହିଁ । ଆଦାନୀ ପାଇଁ ରଥ ଅଟକାଇବାକୁ ଯେଉଁ ଦାୟୀ କରାଯାଉଛି ତାହା ମୂର୍ଖାମୀର ପରିଚୟ ବୋଲି କହିଛନ୍ତି ଆଇନମନ୍ତ୍ରୀ ।
ସେପଟେ ବିଜେପି ସାଂସଦ ପ୍ରଦୀପ ପୁରୋହିତ ମଧ୍ୟ କଂଗ୍ରେସକୁ ଜବାବ ଦେଇଛନ୍ତି । ରାଜ୍ୟବାସୀ ରାଜ୍ୟ ସରକାରଙ୍କ ଉପରେ ଖୁସି ଅଛନ୍ତି । କଂଗ୍ରେସ କିମ୍ବା ରାହୁଲ ଗାନ୍ଧି ଖୁସି ନ ହେଲେ କିଛି ଫରକ୍ ପଡିବ ନାହିଁ। ଲୋକେ ୨୪ ବର୍ଷର ସରକାର ଦେଖିଛନ୍ତି । ବିଜେପିର ବର୍ଷକର ସରକାର ଦେଖିଛନ୍ତି । ଗତ ସରକାରରେ ସର୍ବାଧିକ ମହିଳା ନିର୍ଯ୍ୟାତନା ହେଉଥିଲା । କିନ୍ତୁ ବିଜେପି ସରକାର `ସବକା ସାଥ ସବକା ବିକାଶ ନୀତି'ରେ ଚାଲିଛି । ଗରିବ, ଦଳିତ ଓ ମହିଳାଙ୍କ ଆମ ସରକାର ପ୍ରାଥମିକତା ଦେଇଛନ୍ତି । ଅଣ ବିଜେପି ଶାସିତ ରାଜ୍ୟରେ ସର୍ବାଧିକ ଅତ୍ୟାଚାର ଓ ଶୋଷଣ ହେଉଛି ବୋଲି କହିଛନ୍ତି ପ୍ରଦୀପ ।