ଭୁବନେଶ୍ୱର: ବିଜୁ ଜନତା ଦଳ ଛାଡ଼ୁ ଛାଡ଼ୁ ପୁଣି ଥରେ କଂଗ୍ରେସକୁ ଘର ବାହୁଡ଼ା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦଙ୍କ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ । ହାତ ଧରୁ ଧରୁ ବିଜେଡ଼ି ବିରୁଦ୍ଧରେ ବିଷ ଓଗାଳିଛନ୍ତି ସୁନୀତା । ମହିଳା ସମ୍ମାନ ନେଇ ବିଜେଡ଼ିକୁ କଡ଼ା ସମାଲୋଚନା କରିଛନ୍ତି ।
ସୁନୀତା ବିଶ୍ୱାଳ ଆଜି କଂଗ୍ରେସ ଭବନରେ ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ଜୟଦେବ ଜେନାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି । ଏହା ପରେ ପ୍ରତିକ୍ରିୟା ଦେଇ ବିଜେଡ଼ି ଉପରେ ଅସନ୍ତୋଷ ଝାଡ଼ିଛନ୍ତି । ଯେଉଁ ଆଶା ଏବଂ ଆକାଂକ୍ଷା ନେଇ ବିଜେଡ଼ିରେ ସାମିଲ ହୋଇଥିଲେ ସେହି ଆଶା ପୂରଣ ହୋଇନଥିବା ସେ ଅଭିଯୋଗ କରିଛନ୍ତି । ମହିଳାଙ୍କ ସମ୍ମାନ ନାଁରେ ସେତିକି ସୁଯୋଗ ମିଳୁନଥିଲା। ଏପରି ଏକ ପୋଷ୍ଟର ମାରିବାକୁ ଅନୁମତି ମାଗିବାକୁ ପଡ଼ୁଥିଲା । ପୂର୍ବରୁ କିଛି ମହିଳା ସରପଞ୍ଚ ଅସନ୍ତୁଷ୍ଟ ହୋଇ ବିଜେପିରେ ସାମିଲ ହୋଇଛନ୍ତି । ଆହୁରି ଅନେକ ଅଛନ୍ତି ଯେଉଁମାନେ ଭୟରେ କିଛି କହିପାରୁ ନାହାଁନ୍ତି । କିନ୍ତୁ ସେ ଏହି ସାହସ କରିଛନ୍ତି ବୋଲି କହିଛନ୍ତି ସୁନୀତା ।
୨୦୧୯ରେ ସୁନୀତା କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିଲେ । ବିଜେଡ଼ି ଟିକେଟରେ ସୁନ୍ଦରଗଡ଼ ଲୋକସଭା ଆସନରୁ ସୁନୀତା ନିର୍ବାଚନ ଲଢ଼ିଥିଲେ । ସେ ବିଜେପିର ଜୁଏଲ ଓରାମଙ୍କଠାରୁ ପରାସ୍ତ ହୋଇଥିଲେ । ଗତକାଲି ବିଜେଡ଼ିରୁ ଇସ୍ତଫା ଦେଇଥିଲେ । ସେ ନିଜର ଇସ୍ତଫା ପତ୍ର ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିଲେ ।