ଭୁବନେଶ୍ୱର: ଆଜି କଂଗ୍ରେସ ଭୁବନେଶ୍ୱରଠାରେ ସମ୍ବିଧାନ ବଞ୍ଚାଅ ସମାବେଶ ଅନୁଷ୍ଠିତ ହେଉଛି । ଏହା ସମ୍ବିଧାନ ବଞ୍ଚାଅ ଆନ୍ଦୋଳନ ନୁହେଁ ବରଂ ଏହା କଂଗ୍ରେସ ବଞ୍ଚାଅ ଆନ୍ଦୋଳନ ଅଟେ । ଅସ୍ତଗାମୀ ଦଳ ନିଜର ଅସ୍ତିତ୍ୱ ବଞ୍ଚେଇବାକୁ ଏହା ଏକ ପ୍ରୟାସ ବୋଲି କହିଛି ରାଜ୍ୟ ବିଜେପି । ବାରମ୍ବାର ସମ୍ବିଧାନର ସଂଶୋଧନ କରି ଗଣତନ୍ତ୍ରକୁ ହତ୍ୟା କରିଛି କଂଗ୍ରେସ । ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପ୍ରତି ଦେଇଥିବା ମନ୍ତବ୍ୟ ପାଇଁ କଂଗ୍ରେସର କ୍ଷମା ପ୍ରାର୍ଥନା ଦାବି କରିଛନ୍ତି ବିଜେପି ଉପ ସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ।
ଆଜି କଂଗ୍ରେସର ଜାତୀୟ ସ୍ତରର ବହୁ ବରିଷ୍ଠ ନେତା ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାହୁଲ ଗାନ୍ଧୀଙ୍କ ସମେତ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ କେସି ବେଣୁ ଗୋପାଳ ସମ୍ବିଧାନ ବଞ୍ଚାଓ ସମାବେଶରେ ଯୋଗଦେବେ । ଗତାକାଲି କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ଖୁବ ବର୍ଷିଥିଲା, ଯାହାର ଜବାବ ରଖିଛି ବିଜେପି । କଂଗ୍ରେସର ଏହା ହତାଶା ଭିତରେ ରହିଛି । ଗତ ୩ଟା ସାଧାରଣ ନିର୍ବାଚନଗୁଡ଼ିକରେ କଂଗ୍ରେସ ସାଂସଦଙ୍କ ସଂଖ୍ୟା ତିନି ଅଙ୍କ ଛୁଇଁ ପାରୁ ନାହିଁ । ତେଣୁ ନିମ୍ନଗାମୀ ହେଉଥିବାବେଳେ କଂଗ୍ରେସ ନିଜର ଅସ୍ତିତ୍ୱ ବଞ୍ଚାଇବାକୁ କଂଗ୍ରେସ ବଞ୍ଚାଓ ସମାବେଶ କରୁଛି ।
ନିଜେ କାଚ ଘରେ ରହି ଅନ୍ୟକୁ ପଥର ପିଙ୍ଗୁଛନ୍ତି । ଗଣତନ୍ତ୍ର ଯଦିକୁ କିଏ ହତ୍ୟା କରିଛି ସିଏ ହେଉଛି କଂଗ୍ରେସ । ଏହି ରାଜନୈତିକ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ । ବିଗତ ସମୟରେ ବାପା- ଝିଅ, ମା- ପୁଅ, ସ୍ୱାମୀ- ସ୍ତ୍ରୀଙ୍କ ଦଳ ଥିଲା । ବର୍ତ୍ତମାନ ସମୟରେ ମା-ପୁଅ ଏବଂ ଝିଅ-ଜ୍ୱାଇଁରେ କଂଗ୍ରେସ ଦଳ ଚାଲିଛି ।
ସେହିପରି କଂଗ୍ରେସ କେତେଥର ଗଣତନ୍ତ୍ରର ହତ୍ୟା କରିଛି ତାର ଗୋଟି ଗୋଟି କରି ହିସାବ ଦେଇଛି ରାଜ୍ୟ ବିଜେପି । ୧୯୫୧ରେ ସମ୍ବିଧାନ ଆସିବା ପରେ ପ୍ରଥମ ସଂଶୋଧନ କଂଗ୍ରେସ କରିଛି । ୧୯୭୫ରେ ଦେଶରେ ଜରୁରୀକାଳୀନ ଘୋଷଣା କରି ସମ୍ବିଧାନର କଣ୍ଠରୋଧ କରାଯାଇଥିଲା । ସମସ୍ତ ବିରୋଧୀ ଦଳ ନେତାଙ୍କୁ ବନ୍ଦୀ କରି ୫ ଥର ସମ୍ବିଧାନକୁ ବଦଳାଇଛନ୍ତି । ସେହିପରି ୪୬ତମ ସଂଶୋଧନରେ ବିନା ଆଲୋଚନାରେ ମୁଖବନ୍ଧକୁ ବଦଳାଇ ଦେଇଛନ୍ତି । ସେହିପରି ୧୯୮୬ ମସିହାରେ ଶାହବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ପରିବର୍ତ୍ତନ କରିଥିଲା କଂଗ୍ରେସ । ସେହିପରି ବିନା କ୍ୟାବିନେଟ ସଦସ୍ୟରେ କ୍ୟାବିନେଟ୍ ଅଧ୍ୟାଦେଶକୁ ସାମ୍ବାଦିକ ସମ୍ମିଳନୀ ଏବଂ ନନସେନ୍ସ କହି ଚିରି ଫିଙ୍ଗି ଦେଇଥିଲେ । ତେଣୁ କେଉଁ ଅଧିକାରରେ ସେମାନେ ସମ୍ବିଧାନର ଅପମାନ କରିଛନ୍ତି ତାହାର ଜବାବ ମାଗିଛି ବିଜେପି ।
ଖାଲି ସେତିକି ନୁହେଁ, କଂଗ୍ରେସର ଅଧ୍ୟକ୍ଷ ମଳିକାର୍ଜୁନ ଖଡ଼ଗେ ବିଗତ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉପରେ ଦେଇଥିବା ବୟାନ ଘୋର ନିନ୍ଦନୀୟ । ଓଡ଼ିଶା ମାଟିର ସେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି ବିଜେପି । ଏହା କ’ଣ ସମ୍ବିଧାନର ଅପମାନ ନୁହେଁ ବୋଲି ପ୍ରଶ୍ନ କଲା ବିଜେପି ।