ଭୁବନେଶ୍ୱର: ଓଡ଼ିଶାରେ ୨୦୨୭ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ । କିନ୍ତୁ ଏହା ପୂର୍ବରୁ ତିନି ଦଳଙ୍କ ମଧ୍ୟରେ ରଣନୀତି ଆରମ୍ଭ ହୋଇଗଲାଣି । ପିସିସି ସଭାପତି ଭକ୍ତ ଦାସଙ୍କ ମେଣ୍ଟ ମନ୍ତବ୍ୟ ରାଜନୀତି ପାଣିପାଗ ସରଗରମ ହୋଇଯାଇଛି । ବିଜେପିର ବିଜୟ ଧାରାକୁ ରୋକିବାକୁ ରାଜ୍ୟରେ ଏକ ଅସାଧୁ ଓ ସୁବିଧାବାଦୀ ମେଣ୍ଟ କରାଯାଉଥିବା କହିଛନ୍ତି ବରଗଡ଼ ବିଜେପି ସାଂସଦ ପ୍ରଦୀପ ପୁରୋହିତ ।
ପ୍ରଦୀପ ଏକ ଭିଡ଼ିଓରେ କହିଛନ୍ତି, ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବାବେଳେ ଏବେଠୁ ଓଡ଼ିଶାରେ ବିଜେପି ବିଜୟ ବାଟକୁ ବ୍ୟାଘାତ ଦେବାକୁ ଅସାଧୁ, ଦୁର୍ନୀତିଗ୍ରସ୍ତ ଏବଂ ସୁବିଧାବାଦୀ ମେଣ୍ଟ ହେବାକୁ ଯୋଜନା ପ୍ରସ୍ତୁତ ହୋଇସାରିଛି । ଭକ୍ତ ଦାସ ଓ ବିଜେଡ଼ି ନେତାମାନେ ଦେଇଥିବା ମନ୍ତବ୍ୟ, ଓଡ଼ିଶାରେ ଲଢ଼ିବାକୁ ହେଲେ ମେଣ୍ଟ ନକଲେ ବିଜେପିକୁ ହରାଇପାରିବେ ନାହିଁ । ପ୍ରଦୀପ କହିଛନ୍ତି ଯେ ସେମାନେ ଜାଣିଛନ୍ତି ଓଡ଼ିଶା ଲୋକେ ଜାଣି ସାରିଲେଣି ୪୦ ବର୍ଷରେ କଂଗ୍ରେସର ଶାସନରେ ଓଡ଼ିଶାର କିଭଳି ପ୍ରଗତି ହୋଇଛି ଏବଂ ବିଜେଡ଼ିର ୨୪ ବର୍ଷର ଶାସନରେ କିଭଳି ନଷ୍ଟ ଭ୍ରଷ୍ଟ ହୋଇଛି ଏବଂ ବିଜେପିର ମାତ୍ର ଦୁଇ ବର୍ଷର ଶାସନରେ ମୋହନ ମାଝୀଙ୍କ ନେତୃତ୍ୱରେ କିଭଳି ଯୋଜନା ହୋଇଛି । ସୁଭଦ୍ରା ଯୋଜନା, ଧାନର ଏମଏସପି ବୃଦ୍ଧି, ବାର୍ଦ୍ଧକ୍ୟ ଭତ୍ତା, ଗାଁ ଗାଁରେ ବିକାଶମୂଳକ କାର୍ଯ୍ୟ ହୋଇସାରିଛି । ତେଣୁ ସମସ୍ତ ଦଳ ଏକଜୁଟ ହୋଇଗଲେ ମଧ୍ୟ ପଞ୍ଚାୟତ ନିର୍ବାଚନରେ ବିଜେପି ଶତ ପ୍ରତିଶତ ସଫଳ ହେବ ବୋଲି ଲୋକଙ୍କର ଆଶା ବିଶ୍ୱାସ ଅଛି । ବିଜେଡ଼ି ଓ କଂଗ୍ରେସ ଏ ଅସାଧୁ ମେଣ୍ଟ ବିଜେପିକୁ ଅଟାକାଇ ପାରିବ ନାହିଁ ବୋଲି ପ୍ରଦୀପ କହିଛନ୍ତି ।
ଉଲ୍ଲେଖ ଯୋଗ୍ୟ, ଆଜି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନରେ ବିଜେଡି ସହିତ କଂଗ୍ରେସ ମିଶିବାର ନାହିଁ । ଯଦି ଦଳର ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡ୍ଗେ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ରାଜ୍ୟରେ ବିଜେଡି ସୁପ୍ରିମୋ ଚାହିଁଲେ ମେଣ୍ଟ ହୋଇପାରେ । ରାଷ୍ଟ୍ର ହିତ ପାଇଁ ବିଜେଡି ଓ କଂଗ୍ରେସ ମିଶି ଓଡ଼ିଶା ସେର୍କୁଲାର ପାର୍ଟି ତିଆରି ହେଲେ ଆମର କିଛି ଆପତ୍ତି ନାହିଁ । ମାତ୍ର ପଞ୍ଚାୟତ ନିର୍ବାଚନରେ ସେମିତି କିଛି ହେବାର ନାହିଁ ବୋଲି ଭକ୍ତ କହିଛନ୍ତି ।