ଭୁବନେଶ୍ୱର : ବିଜୁ ଜନତା ଦଳର ଅନ୍ତଃ କନ୍ଦଳ ଦଳକୁ ଏବେ ଧିରେ ଧିରେ ଦୁର୍ବଳ କରିବାରେ ଲାଗିଛି ଏଥିରେ ତୀଳେ ମାତ୍ର ସନ୍ଦେହ ନାହିଁ । ଯେଉଁଥି ପାଇଁ ଜଣକ ପରେ ଜଣେ ବରିଷ୍ଠ ନେତା ଦଳ ଛାଡ଼ିବାରେ ଲାଗିଛନ୍ତି । ଏହାରି ଭିତରେ ସମ୍ବଲପୁରର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ବିସ୍ଫୋରକ ବୟାନ ଦେଇଛନ୍ତି । ଖୁବ୍ ଶୀଘ୍ର ଭାଙ୍ଗି ବିଜେଡି ଚୁରମାର ହୋଇଯିବ ବୋଲି କହିଛନ୍ତି ଜୟ ନାରାୟଣ । କଂଗ୍ରେସରେ ମଧ୍ୟ ବିଜେଡ଼ି ନେତା ସାମିଲ ହେବେ ବୋଲି କହିଛନ୍ତି ମୋହମ୍ମଦ ମୋକିମ ।
ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି କି ବିଜେଡିର ବହୁ ନେତା ବିଜେପି ସହ ଯୋଗାଯୋଗରେ ଅଛନ୍ତି । ସେମାନେ ଖୁବ୍ ଶୀଘ୍ର ପଦ୍ମ ଶିବିରରେ ଯୋଗ ଦେବେ । ଦୁର୍ନୀତି ମୁକ୍ତଙ୍କ କଥା ବିଚାର କରାଯିବ । ବିଜେଡ଼ି ପାଖରେ ଆଉ ନେତୃତ୍ୱ ନାହାଁନ୍ତି । ଆଗକୁ ଓଡ଼ିଶାରେ କେବଳ ୨ଟି ଦଳ ରହିବ ବୋଲି କହିଛନ୍ତି ବିଧାୟକ । ଗୋଷ୍ଠୀ କନ୍ଦଳ ହୋଇ ବିଜେଡି ଦଳ ଭାଙ୍ଗିଯିବା ପରେ ନେତାମାନେ ବିଜେପିରେ ଯୋଗ ଦେବେ ବୋଲି ଜୟ ନାରାୟଣ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ବିଜେଡ଼ିରେ ନେତାଙ୍କୁ ଚାକର ଭଳି ରଖିଥିଲେ । ଏବେ ସେମାନେ ରିଭେଞ୍ଜ ମୁଡକୁ ଆସିଛନ୍ତି । ନେତାମାନେ ଦରି ପାକାଇଲେ, ଟେଣ୍ଟ ଗାତ ଖୋଳିବା ଏବଂ ଚେୟାର ବୋହିଲେ ବୋଲି ଜୟ ନାରାୟଣ କହିଛନ୍ତି ।
ଅନ୍ୟପକ୍ଷରେ କଂଗ୍ରେସ ନେତା ମହମ୍ମଦ ମୋକିମ ମଧ୍ୟ ସମାନ କଥା କହିଛନ୍ତି । ସେ କହିଛନ୍ତି ଯେ ବିଜେଡ଼ିର ଅନେକ ନେତା କଂଗ୍ରେସର ଯୋଗାଯୋଗରେ ଅଛନ୍ତି । କଂଗ୍ରେସରେ ଟ୍ରାକ୍ କୁ ଆସିଲା ପରେ ପିସିସି ଗଠନ ହୋଇଯିବ । ଏହା ପରେ ମିଶ୍ରଣ ପର୍ବ ଆରମ୍ଭ ହୋଇଯିବ । ଯେଉଁମାନେ ଦଳରେ କୋଣ ଠେସା ହୋଇ ରହିଛନ୍ତି, ସେମାନେ କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି । ଯେଉଁମାନଙ୍କ ଭବିଷ୍ୟତ ଅନ୍ଧାରରେ ଅଛି ଏବଂ ବିଜେଡିରେ ହାରିଥିବା ସାଂସଦ ଓ ବିଧାୟକ ପ୍ରାର୍ଥୀ ଦଳରେ ସାମିଲ ହେବେ । କେବଳ ବିଜେଡି ନୁହେଁ ବିଜେପି ଦଳର ମଧ୍ୟ ଅନେକ ନେତା ମଧ୍ୟ ଆମ ସହ ସମ୍ପର୍କରେ ଅଛନ୍ତି । ସମସ୍ତେ ମିଳିମିଶି କାମ କରିବେ ଏବଂ କଂଗ୍ରେସ ଦଳ ଆଗକୁ ମଜବୁତ ହୋଇ ଛିଡ଼ା ହେବା ବୋଲି ସେ କହିଛନ୍ତି ।
ସେପଟେ ବିଜେଡ଼ି ନେତା ପ୍ରଫୁଲ୍ଲ ଘଡ଼େଇ କହିଛନ୍ତି ଦଳ ପରାଜୟ ହେବାରୁ ଏବେ କାଦୁଅ ଫିଙ୍ଗା ନିତି ଆରମ୍ଭ ହୋଇଛି । ଦଳର ସଙ୍ଗଠନକୁ ଦୃଢ଼ କରିବାକୁ ଏକଜୁଟ ହୋଇ ରହିବାକୁ ସେ ଦଳୀୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି । ଗଣତନ୍ତ୍ରରେ ଶାସକ ଜଣେ ରହିବ ସଶକ୍ତ ବିରୋଧୀ ଦଳ ରହିବା ଆବଶ୍ୟକ । ସେ ଦାୟିତ୍ୱ ଏବେ ବିଜେଡ଼ି ଉପରେ ରହିଛି । ବିଜେଡ଼ି ତାହାକୁ ସୁଚାରୁ ରୂପେ ତୁଲାଉ ବୋଲି କହିଛନ୍ତି ଘଡ଼େଇ ।