ଭୁବନେଶ୍ୱର: ଆଜି ପୁଣି ଏକ ବଡ଼ ବୟାନ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଅମର ପ୍ରସାଦ ଶତପଥୀ । ଦଳରେ ଅସନ୍ତୋଷ ଥିଲା କିନ୍ତୁ କେହି ମୁହଁ ଖୋଲୁ ନ ଥିଲେ । ବିଜେଡ଼ି ଆହୁରି ଅନେକ ନେତା ଦଳ ଛାଡ଼ିବେ ବୋଲି ଭବିଷ୍ୟବାଣୀ କରିଛନ୍ତି ଅମର ଶତପଥୀ ।
ଅମର ଶତପଥୀ ଲଗାତର କିଛି ଦିନ ହେବ ବିଜେଡ଼ି ବିରୋଧରେ ବିସ୍ଫୋରକ ବୟାନ ଦେବାରେ ଲାଗିଛନ୍ତି । ସେ ପୁଣି କହିଛନ୍ତି ଯେ କିଛି ନେତା ଅରୁଚିକର ଏବଂ ଅପରିପକ୍ୱ ମନ୍ତବ୍ୟ ଦେଉଛନ୍ତି । ଯେଉଁମାନେ ଦଳ ଗଠନ ସମୟରେ ନ ଥିଲେ, ବିଜେଡ଼ିର ଇତିହାସ ଜାଣି ନାହାଁନ୍ତି, ସେଇମାନେ କ୍ୟାମେରା ସାମ୍ନାରେ ବହୁତ କିଛି କହୁଛନ୍ତି । ବାସ୍ତବତା ଏବଂ ବୟାନ ବାଜି ମଧ୍ୟରେ ବହୁତ ଫରକ ରହିଛି । ଦେବାଶିଷ ସାମନ୍ତରାୟଙ୍କ ଅପରିପକ୍ୱ ମନ୍ତବ୍ୟ ଏବଂ ଅଜ୍ଞତା ଉପରେ ଦୟା ଆସୁଛି ବୋଲି ଅମର କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ଦଳରେ ପୂର୍ବରୁ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା, ବହୁତ ଲୋକ ମୁହଁ ଖୋଲୁ ନ ଥିଲେ, ଆଗାମୀ ଦିନରେ ମୁହଁ ଖୋଲିବେ । ଦଳରେ ଅସନ୍ତୋଷ ରହିଛି, ଏଥିରେ ଦ୍ୱିମତ ନାହିଁ । ମୂଳ ପ୍ରଶ୍ନର କେହି ଉତ୍ତର ଦେଉ ନାହାନ୍ତି । କାହିଁକି ଦଳର ଏଭଳି ପରିସ୍ଥିତି ହେଲା ସଭାପତି ଉତ୍ତର ଦିଅନ୍ତୁ ।
ଅମର ଭବିଷ୍ୟବାଣୀ କରିଛନ୍ତି ଯେ ବିଜେଡ଼ି ଆଉ ଦୁଇ ଜଣ ରାଜ୍ୟସଭା ସାଂସଦ ଦଳ ଛାଡ଼ି ପାରନ୍ତି । ଆଗାମୀ ଦିନରେ ଜଣା ପଡ଼ିବ ବୋଲି ସେ କହିଛନ୍ତି ।
ତେବେ ଅମର ଶତପଥୀ ଏବେ ଆଉ ବିଜେଡ଼ିରେ ନାହାଁନ୍ତି ବୋଲି ଘୋଷଣା କରି ସାରିଛନ୍ତି । ସେ ନିଜକୁ ଏବେ ସ୍ୱାଧୀନ ରାଜନେତାଭାବେ ପରିଚୟ ଦେଉଛନ୍ତି ।