ଭୁବନେଶ୍ୱର: ବିଜୁ ଜନତା ଦଳର ପୂର୍ବତନ ସାଂସଦ ପ୍ରଭାତ କୁମାର ସାମନ୍ତରାୟଙ୍କର ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଏ ନେଇ ତାଙ୍କ ସାନ ପୁଅ ସାର୍ଥକ ସାମନ୍ତରାୟ ସୂଚନା ଦେଇଛନ୍ତି ।
ଶ୍ରୀଯୁକ୍ତ ସାମନ୍ତରାୟ ଗତକାଲି ସକାଳେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ପରିବାର ଲୋକ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ରାତ୍ରି ପ୍ରାୟ ସାଢ଼େ ଗୋଟାଏ ସମୟରେ ତାଙ୍କର ପରଲୋକ ଘଟିଥିଲା । ବ୍ରେନ ଷ୍ଟୋକରେ ତାଙ୍କର ମୃତ୍ୟୁ ହୋଇଥିବ ଜଣାପଡ଼ିଛି ।
୧୯୫୦ ମସିହା ଏପ୍ରିଲ ୨୨ରେ ଶ୍ରୀଯୁକ୍ତ ପ୍ରଭାତ ସାମନ୍ତରାୟ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାର ଶାସନୀପଡ଼ାରେ ଜନ୍ମ ଗ୍ରହଣ କରିଥିଲେ । ସେ ଏକାଧାରାରେ ଜଣେ ସମାଜସେବୀ ଏବଂ ରାଜନେତା ଥିଲେ । ସେ ୩ଥର ସାଂସଦ ହୋଇଥିଲେ । ପ୍ରଥମେ ସେ ବିଜୁ ପଟ୍ଟାନାୟକଙ୍କ ସହିତ ଜନତା ଦଳରେ କାମ କରି ସାଂସଦ ହୋଇଥିଲେ । ଏହା ପରେ ୧୯୯୮ ମସିହାରେ ବିଜେଡ଼ି ଦଳରୁ ଟିକେଟ୍ ପାଇ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଲଢ଼ି ସାଂସଦ ହୋଇଥିଲେ । ୧୯୯୯ରେ ପୁଣି ଥରେ ସାଂସଦ ହୋଇଥିଲେ । ସେ ୧୯୯୯-୨୦୦୪ ମସିହା ପର୍ଯ୍ୟନ୍ତ ସାଂସଦ ରହିଥିଲେ ।