ଚଣ୍ଡିଗଡ: ହରିୟାଣାର ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନୀ ପୁଣି ଥରେ ରାଜ୍ୟର ମଙ୍ଗ ସମ୍ଭାଳିବେ । ବିଜେପି ବିଧାୟକ ଦଳ ବୈଠକରେ ତାଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି । ଅନିଲ ବିଜ ଓ କୃଷ୍ଣ ଦେବୀ ତାଙ୍କ ନାମରେ ପ୍ରସ୍ତାବ ଦେଇଥିଲେ, ଯାହାକୁ ବିଧାୟକମାନେ ଧ୍ୱନିମତରେ ସ୍ୱୀକାର କରିଥିଲେ । ବୈଠକରେ ଗୃହ ମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ଥିଲେ । ଅନିଲ ବିଜଙ୍କ ପକ୍ଷରୁ ନାଏବ ସିଂ ସୈନୀଙ୍କ ନାମରେ ପ୍ରସ୍ତାବ ରଖାଯିବା ଗୁରୁତ୍ୱପୂର୍ଣ୍ଣ ରହିଛି କାରଣ ସେ ନିଜକୁ ମୁଖ୍ୟମନ୍ତ୍ରୀ ପଦର ଦାବିଦାର ଦର୍ଶାଇଥିଲେ ।
ଅମିତ ଶାହଙ୍କ ହରିୟାଣା ଆସିବାର ଅର୍ଥ ଏହା ଯେ, ନାଏବ ସିଂ ସୈନୀଙ୍କ ଚେହେରାକୁ ଆହୁରି ବଳିଷ୍ଠ କରାଯିବା ସହ ଅନିଲ ବିଜ ଓ ରାଓ ଇନ୍ଦ୍ରଜିତ ସିଂଙ୍କ ପରି ନେତାଙ୍କୁ ଏକଜୁଟ୍ ରଖାଯାଉ । କାରଣ ଦୁଇ ନେତା ମୁଖ୍ୟମନ୍ତ୍ରୀ ପଦ ଦୌଡରେ ରହିଥିଲେ । ନାଏବ ସିଂ ସୈନୀ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେବା ପରେ ହରିୟାଣାରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ । ଗୁରୁବାର ଅକ୍ଟୋବର ୧୭ ତାରିଖ ହରିୟାଣାର ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ଅନୁଷ୍ଠିତ ହେବ ।
ବିଧାୟକ ଦଳ ନେତା ଭାବେ ଚୟନ ହେବା ପରେ ସୈନୀ ବିଧାୟକ ଦଳ ବୈଠକରେ କହିଛନ୍ତି, ହରିୟାଣାବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଉପରେ ମୋହର ମାରିଛନ୍ତି । ଆଉ ଆଜି ହିଁ ରାଜ୍ୟପାଳଙ୍କ ନିକଟରେ ସରକାର ଗଠନର ଦାବି ଉପସ୍ଥାପନ କରାଯିବ । ହରିୟାଣାର ଲୋକେ ପଣ କରିଛନ୍ତି ଯେ, ୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ର ଗଠନରେ ସଂକଳ୍ପକୁ ଆଗକୁ ନେଇ ଯିବା ପାଇଁ କାମ କରିବେ।
ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ରେ ବିଜେପି ୪୮ ସିଟ୍ ଜିତି ସଂଖ୍ୟା ଗରିଷ୍ଠତା ହାସଲ କରିବା ସହ ଲଗାତାର ତୃତୀୟ ଥର ସରକାର ଗଠନ କରିବାକୁ ଯାଉଛି । କଂଗ୍ରେସକୁ ୩୭ ସିଟରେ ସନ୍ତୁଷ୍ଟ ହେବାକୁ ପଡିଛି । ତିନି ସ୍ୱାଧୀନ ପ୍ରାର୍ଥୀ ବିଜେପି ସରକାରଙ୍କୁ ସମର୍ଥନ ଜଣାଇଛନ୍ତି । ସେଥିରେ ଦେଶର ସବୁଠୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ ସାମିଲ ।