ଭୁବନେଶ୍ୱର: ପୂର୍ବତନ ସାଂସଦ ତଥା ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ ବିଜୁ ଜନତା ଦଳର ପରାଜୟ ପାଇଁ ଭି କେ ପାଣ୍ଡିଆନଙ୍କୁ ଦାୟୀ କରିବା ପରେ ପଣି ଥରେ ଦଳକୁ ରକ୍ଷା କରିବାକୁ ବାହାରିଛନ୍ତି ମୁଖପାତ୍ର ଲେନିନ ମହାନ୍ତି । ପ୍ରସନ୍ନଙ୍କୁ ଜବାବ ଦେଇଛନ୍ତି ଲେନିନ ।
ବିଜେଡ଼ି ମୁଖପାତ୍ର ଲେନିନ ମହାନ୍ତି ପ୍ରସନ୍ନ ପାଟ୍ଟଶାଣୀ ରଖିଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ ବର୍ଷକ ତଳେ କିଛି କହୁ ନ ଥିଲେ । ନିର୍ବାଚନ ବେଳେ ବାବା ପାଟ୍ଟଶାଣୀ ୪ଟି ଟିକେଟ୍ ମାଗିଥିଲେ । ନିଜ ଜ୍ୱାଇଁ ସହ ପରିବାର ଲୋକଙ୍କ ପାଇଁ ୪ଟି ଟିକେଟ୍ ମାଗିଥିଲେ । ମାତ୍ର ଦଳ ତାକୁ ଗ୍ରହଣ କରି ନ ଥିଲା ବୋଲି ଲେନିନ କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ପ୍ରସନ୍ନ ପାଟ୍ଟଶାଣୀ କହିଥିଲେ, ମୁଁ ବିଜେଡି ଲୋକ । ମୋ ଜନ୍ମ ଜାତକରେ ମୋ ନା ପଢିବେ । ଦଳ ଗଢିକି ଦଳ ଛାଡିଲା ବେଳେ ବଡ଼ ଦୁଃଖ ଲାଗେ । ମୁଁ କେବେ ବି ଦଳ ଛାଡ଼ିକି ଆସିନଥାନ୍ତି । ଯେ ପର୍ଯ୍ୟନ୍ତ ପାଣ୍ଡିଆନ ଥିବେ ସେ ପର୍ୟ୍ୟନ୍ତ ବିଜେଡି ଆସିବ ନାହିଁ । ମୁଁ ପାଣ୍ଡିଆନଙ୍କ ପାଇଁ ବିଜେଡି ଛାଡ଼ିଲି ବୋଲି ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ନବୀନଙ୍କ ପ୍ରତି ମୋର ଦୁର୍ବଳତା ଅଛି କିନ୍ତୁ ପାଣ୍ଡିଆନ ଯୋଗୁଁ ଆମର ଲୋକପ୍ରିୟ ସରକାର ଚାଲିଗଲା । ବିଜେଡିରେ ତ କେହି ନବୀନଙ୍କ ବିରୋଧରେ କହୁ ନାହାନ୍ତି । ପାଣ୍ଡିଆନଙ୍କୁ କାହିଁକି କହୁଛନ୍ତି । ରାଜନୀତି କରିବା ପାଇଁ ବହୁତ ଭଲ ଭଲ ଲୋକ ଅଛନ୍ତି । ପାଣ୍ଡିଆନ ପଛରେ ଧାଇଁଲେ କ’ଣ ହେବ । ଲୋକ ମାନେ ଯେଉଁ ଦଳକୁ ଫୋପାଡି ଦେଲେ ସେ ଦଳର କ’ଣ ହେବ ବୋଲି ସେ କହିଛନ୍ତି ।