ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥିବା ସଂସଦ ଭବନ ଏବଂ ଆଖପାଖ ଅଞ୍ଚଳର ବିଲ୍ଡିଂ ୱାକଫ୍ ବୋର୍ଡ ସମ୍ପତ୍ତିରେ ନିର୍ମାଣ ହୋଇଛି । ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏଆଇୟୁଡିଏଫ) ମୁଖ୍ୟ ଏବଂ ପୂର୍ବତନ ସାଂସଦ ବଦରୁଦ୍ଦିନ ଅଜମଲ୍ ବୁଧବାର ଏମିତି ଚାଞ୍ଚଲ୍ୟକର ଦାବି କରି ବିବାଦ ସୃଷ୍ଟି କରିଛନ୍ତି ।
ବୁଧବାର ସାମ୍ୱାଦିକଙ୍କ ସହ ଆଲୋଚନା କରି ଅଜମଲ୍ ଦାବି କରିଛନ୍ତି ଯେ ଜାତୀୟ ରାଜଧାନୀରେ ବସନ୍ତ ବିହାରରୁ ଏୟାରପୋର୍ଟ ଯାଏ ଅଞ୍ଚଳ ୱାକଫ୍ ବୋର୍ଡର ସମ୍ପତ୍ତି । ସରକାର ୱାକଫ୍ ବୋର୍ଡର ସାଢେ ତିନି ଲକ୍ଷ ହେକ୍ଟର ହଡ଼ପ କରିବାକୁ ଚାହୁଁଥିବା ସେ କହିଛନ୍ତି ।
ପୂର୍ବତନ ସାଂସଦ ଅଜମଲ ୱାକଫ ବିଲ୍କୁ ବିରୋଧ କରି କହିଛନ୍ତି, 'ଏହାକୁ ନେଇ ସ୍ୱର ଉଠିବାରେ ଲାଗିଛି ଏବଂ ସମଗ୍ର ଦୁନିଆରେ ୱାକଫ ସମ୍ପତ୍ତିର ସୂଚୀ ସାମନାକୁ ଆସିବାରେ ଲାଗିଛି। ସଂସଦ ଭବନ, ଏହାର ଆଖପାଖ ଅଞ୍ଚଳ ଏବଂ ବସନ୍ତ ବିହାରରୁ ଆରମ୍ଭ କରି ଏୟାରପୋର୍ଟ ଯାଏ ପୂରା ଅଞ୍ଚଳ ୱାକଫର ସମ୍ପତ୍ତି ଉପରେ ନିର୍ମାଣ ହୋଇଛି । ଲୋକେ ଏହା ବି କୁହନ୍ତି ଯେ ଏୟାରପୋର୍ଟ ୱାକଫ ବୋର୍ଡ ସମ୍ପତ୍ତିରେ ନିର୍ମାଣ ହୋଇଛି ।'
ସେ ଆହୁରି କହିଛନ୍ତି, 'ବିନା ଅନୁମତିରେ ୱାକଫ ସମ୍ପତ୍ତିକୁ ବ୍ୟବହାର କରିବା ଭୁଲ । ୱାକଫ ବୋର୍ଡର ଏହି ପ୍ରସଙ୍ଗରେ ମୋଦୀ ସରକାର ଖୁବଶୀଘ୍ର ନିଜ ସରକାର ହରାଇବେ।' ଏହାରି ଭିତରେ ବିରୋଧୀ ସାଂସଦ ୱାକଫ (ସଂଶୋଧନ) ବିଧେୟକ ୨୦୨୪ ଉପରେ ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖିଛନ୍ତି ।
ଏହି ଚିଠିରେ ବିରୋଧୀ ସାଂସଦମାନେ ଅକ୍ଟୋବର ୧୪ରେ ନୂଆଦିଲ୍ଲୀରେ ଆୟୋଜିତ ଜେପିସି ବୈଠକରେ ସମିତି ଅଧ୍ୟକ୍ଷ ଜଗଦମ୍ୱିକା ପାଲଙ୍କ ଦ୍ୱାରା ସଂସଦୀୟ ଆଚାର ସଂହିତା ଏବଂ ପ୍ରକ୍ରିୟା ନିୟମର ଉଲ୍ଲଂଘନ ଅଭିଯୋଗ ଆଣିଥିଲେ । ବିରୋଧୀ ସାଂସଦ ଏହା ମଧ୍ୟ ଦାବି କରିଛନ୍ତି ଯେ, କର୍ଣ୍ଣାଟକର ୱାକଫ ଦୁର୍ନୀତି ରିପୋର୍ଟ ୨୦୧୨ ଉପରେ ଆଧାରିତ ୱାକଫ ବିଧେୟକ ଉପରେ କୌଣସି ଟିପ୍ପଣୀ ନ ଥିଲା । ଏଥିରେ ମଲ୍ଲିକାର୍ଜୁନ ଖଡଗେଙ୍କ ସହିତ କର୍ଣ୍ଣାଟକ କଂଗ୍ରେସ ନେତାଙ୍କ ବିରୋଧରେ କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗ ଥିଲା ।