ଭୁବନେଶ୍ୱର: ବିଜେଡିର ଭିତିରି ଗୁମର ଧିରେ ଧିରେ ପଦାକୁ ଆସିବାରେ ଲାଗିଛି । ଯେଉଁ ପାଣ୍ଡିଆନ ଦିନେ ନିଜକୁ ବିଜେଡ଼ିର ସର୍ବେସର୍ବା ଭାବୁଥିଲେ, ସେହି ପାଣ୍ଡିଆନଙ୍କ ବିରୋଧରେ ମନରେ ରଖିଥିବା କ୍ରୋଧକୁ ଦଳର ବହୁ ବରିଷ୍ଠ ନେତା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରୁଛନ୍ତି । ସାଧାରଣ ନିର୍ବାଚନରେ ବିଜେଡ଼ିରେ ପରାଜୟ ପାଇଁ କେବଳ ପାଣ୍ଡିଆନ ହିଁ ଦାୟୀ ବୋଲି ମତ ଅମର ସ୍ୱର ସହିତ ସ୍ୱର ମିଳାଇ କହିଛନ୍ତି ପୂର୍ବତନ ବିଜେଡ଼ି ସାଂସଦ ତଥା ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ ।
ବିଜୁ ଜନତା ଦଳର ପରାଜୟକୁ ନେଇ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ବଡ଼ ବୟାନ ଦେଇଛନ୍ତି । ବଡ଼ଚଣା ପୂର୍ବତନ ବିଧାୟକ ଅମର ଶତପଥୀଙ୍କୁ ସମର୍ଥନ କରି ପାଟ୍ଟଶାଣୀ କହିଛନ୍ତି ଯେ ଅମର ଶତପଥି ଯାହା କହିଛନ୍ତି କିଛି ତ ଖରାପ କହିନାହାନ୍ତି । ମୁଁ ବିଜେଡି ଲୋକ । ମୋ ଜନ୍ମ ଜାତକରେ ମୋ ନା ପଢିବେ । ଦଳ ଗଢିକି ଦଳ ଛାଡିଲା ବେଳେ ବଡ଼ ଦୁଃଖ ଲାଗେ । ମୁଁ କେବେ ବି ଦଳ ଛାଡ଼ିକି ଆସିନଥାନ୍ତି । ଯେପର୍ଯ୍ୟନ୍ତ ପାଣ୍ଡିଆନ ଥିବେ ସେ ପର୍ଯ୍ୟନ୍ତ ବିଜେଡି ଆସିବ ନାହିଁ । ମୁଁ ପାଣ୍ଡିଆନଙ୍କ ପାଇଁ ବିଜେଡି ଛାଡ଼ିଲି ବୋଲି ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ନବୀନଙ୍କ ପ୍ରତି ମୋର ଦୁର୍ବଳତା ଅଛି କିନ୍ତୁ ପାଣ୍ଡିଆନ ଯୋଗୁଁ ଆମର ଲୋକପ୍ରିୟ ସରକାର ଚାଲିଗଲା । ବିଜେଡିରେ ତ କେହି ନବୀନଙ୍କ ବିରୋଧରେ କହୁ ନାହାନ୍ତି । ପାଣ୍ଡିଆନଙ୍କୁ କାହିଁକି କହୁଛନ୍ତି । ରାଜନୀତି କରିବା ପାଇଁ ବହୁତ ଭଲ ଭଲ ଲୋକ ଅଛନ୍ତି । ପାଣ୍ଡିଆନ ପଛରେ ଧାଇଁଲେ କ’ଣ ହେବ । ଲୋକ ମାନେ ଯେଉଁ ଦଳକୁ ଫୋପାଡି ଦେଲେ ସେ ଦଳର କ’ଣ ହେବ ବୋଲି ସେ କହିଛନ୍ତି ।
ଏହା ପୂର୍ବରୁ ଅମର ଶତପଥୀ କହିଛନ୍ତି ଯେ ରାଜନୈତିକ ଦୃଶ୍ୟପଟ୍ଟରେ ଆଗକୁ ଆହୁରି ଅନେକ ଘଟଣା ଘଟିବାକୁ ଯାଉଛି । ବିଜେଡିକୁ ନେଇ ମୁଁ ଦେଇଥିବା ମତକୁ ନେଇ ଅନେକ ବିଜେଡ଼ି ବନ୍ଧୁଙ୍କଠୁ ସମର୍ଥନ ମିଳୁଛି । ବିଜେପିରୁ ୨୦ଟି ସାଂସଦ ଲୋକସଭାକୁ ଗଲେ । ୩ ଜଣ ସାଂସଦ ରାଜ୍ୟସଭାକୁ ଗଲେ । ଆଞ୍ଚଳିକ ଦଳ ଭାବେ ବିଜେଡ଼ି ଯେଉଁ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇଥିଲା, ବିଜେପି ଗୋଟିଏ ଜାତୀୟ ଦଳ ହୋଇ ତାକୁ ମଧ୍ୟ ପ୍ରସଙ୍ଗ କରିଥିଲା । କିନ୍ତୁ ଆମେ ହାରିଗଲୁ । ବିଜେପି ପାଇଁ କ୍ଷେତ୍ର ପ୍ରସ୍ତୁତ ହେଉଛି ବୋଲି ଅମର କହିଛନ୍ତି ।
ଗତକାଲି ଅମର କହିଥିଲେ ଯେ ସେ ବିଜେଡିରେ ନାହାଁନ୍ତି । ସଦ୍ୟସତା ନବୀକରଣ କରିବାର ପ୍ରଶ୍ନ ଉଠୁନି । ବିଜେଡିରେ ମୋ ଅବଦାନ ଓଡ଼ିଶାବାସୀ କହିବେ ।