ଭୁୁବନେଶ୍ୱର: ନିର୍ବାଚନରେ ପରାଜୟ ପରଠୁ ବିଜେଡିରେ ଦଳୀୟ କନ୍ଦଳ ବଢିବାରେ ଲାଗିଛି । ଏହି କନ୍ଦଳ ଦିନକୁ ଦିନ ବିକଟାଳ ରୂପ ନେବାରେ ଲାଗିଛି । ବରିଷ୍ଠଙ୍କଠୁ ନେଇ କନିଷ୍ଠ ଯାଏ ସମସ୍ତେ ପରାଜୟକୁ ନେଇ ମୁହଁ ଖୋଲିବାରେ ଲାଗିଛନ୍ତି । ଏହାକୁ ନେଇ ଏବେ ଗଞ୍ଜାମ ବିଜେଡିରେ ହଟଚମଟ ସୃଷ୍ଟି ହୋଇଛି । ଏହା ମଧ୍ୟରେ ଆସିକାରେ ବିଜେଡିକୁ ହରାଇବାକୁ ବିଜେପି ସହ ହାତ ମିଳାଇଥିଲେ ବିଜେଡି ସାଂସଦ ପ୍ରାର୍ଥୀ। ତାଙ୍କ ପାଇଁ ବିଜେଡି ଆସିକା ଲୋକସଭା ସହ ଅନେକ ବିଧାନସଭା କ୍ଷେତ୍ରରେ ହାରିଲା। ହିଞ୍ଜିଳିରେ ଭୋଟ କମିବା ସହ କବିସୂର୍ୟ୍ୟଥନଗରରେ ବି ଦଳ ତାଙ୍କ ପାଇଁ ହାରିଲା। ଏଭଳି ଅଭିଯୋଗ ଆଣିଛନ୍ତି ପୂର୍ବତନ ବିଧାୟିକା ଲତିକା ପ୍ରଧାନ।
ସେ କହିଛନ୍ତି, ବିଜେଡି ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ ବିଜେପି ପାଇଁ ବିଭୀଷଣର କାମ କରିଛନ୍ତି । ସେ ଦଳୀୟ ପ୍ରାର୍ଥୀଙ୍କୁ ହରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଏ ନେଇ ଭିଡିଓ ଫଟୋ ବି ଘୁରି ବୁଲୁଛି। ନିର୍ବାଚନ ସମୟରେ ଓ ନିର୍ବାଚନ ପରେ ବିଜେପି ନେତାଙ୍କ ସହ ସାଲିସ ହୋଇ କାମ କରିଥିଲେ। ବିଜେଡି ସୁପ୍ରିମୋଙ୍କୁ ଏ ବାବଦରେ ଅବଗତ କରିଛି ବୋଲି ଲତିକା ପ୍ରଧାନ କହିଛନ୍ତି ।
ସେ ଆହୁରି କହିଛନ୍ତି, ସ୍ୱର୍ଗତ ବିଜୁ ବାବୁଙ୍କ ସମୟରୁ ଆସିକା ସଂସଦୀୟ କ୍ଷେତ୍ର ଅନ୍ୟ କାହା ହାତକୁ ଯାଇ ନଥିଲା। କିନ୍ତୁ ଆଜି ଏଭିଳି ଜଣେ ପ୍ରାର୍ଥୀଙ୍କ ପାଇଁ ଆସିକା ସିଟ୍ ହାତରୁ ପଳାଇଲା। ରଞ୍ଜିତାଙ୍କ ନିର୍ବାଚନ ପରିଚାଳନା ତ୍ରୁଟି ଯୋଗୁ ଆମେ ସବୁ ସିଟ୍ ହରାଇଲୁ। ସେ ବିଭୀଷଣ ସାଜି ଦଳ ବିରୋଧୀ କାମ କରିଛନ୍ତି। ସମସ୍ତ ପ୍ରମାଣ ସହ ଏନେଇ ମୁଁ ଦଳର ସଭାପତିଙ୍କୁ ଜଣାଇଛି। ଏବେ ମଧ୍ୟ ସେ ସେହି କାମ କରୁଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସଭାପତିଙ୍କୁ ଅନୁରୋଧ କରିଛି।