ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷାର ଅନ୍ତ ହୋଇଛି । ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ତାରିଖ ଘୋଷଣା ହୋଇଛି । ଜାତୀୟ ନିର୍ବାଚନ ଆୟୋଗ ମୁଖ୍ୟ ରାଜୀବ କୁମାର ଉଭୟ ରାଜ୍ୟ ପାଇଁ ତାରିଖ ଘୋଷଣା କରିଛନ୍ତି । ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ । ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ମତଦାନ ହେବ । ଅନ୍ୟପକ୍ଷରେ ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଝାଡ଼ଖଣ୍ଡରେ ନଭେମ୍ବର ୧୩ ଏବଂ ୨୦ରେ ଭୋଟିଂ ହେବ । ମାତ୍ର ଗୋଟିଏ ଦିନରେ ଅର୍ଥାତ ନଭେମ୍ବର ୨୩ରେ ଉଭୟ ରାଜ୍ୟର ଫଳାଫଳ ପ୍ରକାଶ ପାଇବ ।
ମହାରାଷ୍ଟ୍ରରେ ୯.୬୩ କୋଟି ମତଦାତା
ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ମତଦାନ ହେବାକୁ ଥିବାବେଳେ ନଭେମ୍ବର ୨୩ରେ ମତ ଗଣନା କରାଯିବ । ଏହା ପୂର୍ବରୁ ଅକ୍ଟୋବର ୨୨ରେ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୨୯ରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ ଏବଂ ଅକ୍ଟୋବର ୩୦ରେ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ଅନୁଷ୍ଠିତ ହେବ । ନଭେମ୍ବର ୪ରେ ଅନିଚ୍ଛୁକ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରି ପାରିବେ ।
ମହାରାଷ୍ଟ୍ରରେ ୩୬ଟି ଜିଲ୍ଲାରେ ୨୮୮ଟି ବିଧାନସଭା ଆସନ ରହିଛି । ସେଥି ମଧ୍ୟରୁ ଏସଟି ପାଇଁ ୨୫ ଓ ଏସସି ପାଇଁ ୨୯ଟି ଆସନ ରହିଛି । ୧ ଲକ୍ଷ ୧୮୬ଟି ମତଦାନ କେନ୍ଦ୍ରରେ ମତଦାନ କରାଯିବ । ଚଳିତ ବର୍ଷ ଏଠାରେ ୯.୬୩ କୋଟି ମତଦାତା ଏହି ଗଣତନ୍ତ୍ରର ମହାପର୍ବରେ ସାମିଲ ହେବେ ।
ଝାଡ଼ଖଣ୍ଡରେ ୨.୬ କୋଟି ମତଦାତା
ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟ ଅର୍ଥାତ ନଭେମ୍ବର ୧୩ ଏବଂ ୨୦ରେ ମତଦାନ ଅନୁଷ୍ଠିତ ହେବ । ଏହା ପରେ ନଭେମ୍ବର ୨୩ରେ ମତ ଗଣନା କରାଯାଇ ଫଳାଫଳ ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟ ପାଇଁ ଅକ୍ଟୋବର ୧୮ରେ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୨୫ରେ ନାମାଙ୍କନ ଦାଖଲ କରାଯିବାକୁ ଥିବାବେଳେ ଅକ୍ଟୋବର ୨୮ରେ ନାମାଙ୍କନ ଯାଞ୍ଚ କରାଯିବ । ଅକ୍ଟୋବର ୩୦ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ ।
ସେହିପରି ୨ୟ ପର୍ଯ୍ୟାୟ ମତଦାନ ପାଇଁ ଅକ୍ଟୋବର ୨୨ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରାର୍ଥୀମାନେ ଅକ୍ଟୋବର ୨୯ରେ ନାମାଙ୍କନ ଦାଖଲ କରିବେ ଏବଂ ଅକ୍ଟୋବର ୩୦ରେ ନାମାଙ୍କନ ଯାଞ୍ଚ କରାଯିବ । ନଭେମ୍ବର ୧ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି । ନଭେମ୍ବର ୨୦ରେ ମତଦାନ କରାଯାଇ ୨୩ରେ ଫଳାଫଳ ପ୍ରକାଶ ପାଇବ ।
ଚଳିତ ବର୍ଷ ଝାଡ଼ଖଣ୍ଡରେ ସମସ୍ତ ୮୧ଟି ଆସନରେ ବିଧାନସଭା ନିର୍ବାଚନ ହେବ । ୨.୬ କୋଟି ମତଦାତା ନିଜର ମତ ସାବ୍ୟସ୍ତ କରିବେ । ସେଥିରୁ ମହିଳା ୧.୨୯ କୋଟି, ପୁରୁଷ ୧.୩୧ କୋଟି, ଯୁବ ୬୬.୮୪ ଲକ୍ଷ ଏବଂ ପ୍ରଥମ ଥର ଭୋଟ ଦେଉଥିବା ମତଦାତାଙ୍କ ସଂଖ୍ୟା ୧୧.୮୪ ଲକ୍ଷ ରହିଛନ୍ତି ।