୨୦୧୯ ଲୋକସଭା ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ ଆସନରୁ ଅପରାଜିତା ଷଡଙ୍ଗୀ ୪ ଲକ୍ଷ ୮୬ ହଜାର ୯୯୧ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ୪ ଲକ୍ଷ ୬୩ ହଜାର ୧୫୨ ଭୋଟ ମିଳିଥିଲା । ଅର୍ଥାତ ୨୩ ହଜାର ୮୩୯ ଭୋଟରେ ଅପରାଜିତା ବିଜୟୀ ହୋଇଥିଲେ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସମସ୍ତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ କେବଳ ଜଟଣୀରେ କଂଗ୍ରେସ ଜିତିଥିବା ବେଳେ ବାକି ସବୁ ଆସନରେ ବିଜେଡି ବିଜୟଲାଭ କରିଥିଲା । ବିଜେପି ଗୋଟିଏ ବି ବିଧାନସଭା ଆସନ ଜିତି ନଥିବାବେଳେ ଲୋକସଭା ଆସନରୁ ଅପରାଜିତା ବିଜୟ ଲାଭ କରିଥିଲେ । କିନ୍ତୁ ଏଥର ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା ପରେ ଆଜି ରାଜଧାନୀରେ ବିରାଟ ପଦଯାତ୍ରା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏହସହ ୨୦୨୪ ନିର୍ବାଚନ ପାଇଁ ଆଜିଠୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଭୁବନେଶ୍ୱର ଏୟାରପୋର୍ଟରୁ ପଦଯାତ୍ରାରେ ବାହାରି ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇଥିଲେ । ସେଠାରେ ବାବା ଲିଙ୍ଗରାଜଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ । ଏହି ପଦଯାତ୍ରାରେ ବହୁ ଦଳୀୟ କର୍ମୀ ସାମିଲ ହୋଇ ଅପରାଜିତାଙ୍କୁ ସ୍ୱାଗତ କରିଥିଲେ ।
ଏହି ଅବସରରେ ଅପରାଜିତା କହିଛନ୍ତି, ବିଗତ ୫ ବର୍ଷ ହେଲା ମୁଁ ନିଷ୍ଠାପର ଭାବେ ସମସ୍ତଙ୍କ ସେବା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ସ୍ୱପ୍ନରେ ଭୁବନେଶ୍ୱର ପ୍ରମୁଖ ସ୍ଥାନ ନେବ । ମୋଦୀଙ୍କୁ ଆଣିବାକୁ ହେଲେ ଅପରାଜିତାଙ୍କୁ ଜିତାଇବାକୁ ପଡ଼ିବ ବୋଲି ଅପରାଜିତା କହିଛନ୍ତି ।
ଅଧିକ ପଢ଼ନ୍ତୁ : କଂଗ୍ରେସରୁ ଇସ୍ତଫା ଦେଲେ ବିଧାୟକ ସୁର ରାଉତରାୟ