ଆସନ୍ତା ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେହିଦିନ ସେ ସୋନପୁରରେ ଜନସଭାକୁ ସମ୍ବୋଧିତ କରିବେ। ଏହାପରେ ସନ୍ଧ୍ୟା ବେଳେ ଭୁବନେଶ୍ୱରରେ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର।
ଶ୍ରୀ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି, ଓଡ଼ିଶାରେ ବିଜେପି ମାଆ, ମାଟି ଓ ମାତୃଭାଷାକୁ ନେଇ ଲଢ଼େଇ ଆରମ୍ଭ କରିଛି। ଏହି ଲଢ଼େଇର ଶୁଭାରମ୍ଭ ଆସନ୍ତା ୨୫ ତାରିଖରୁ ସୋନପୁର ମାଟିରୁ ଆରମ୍ଭ ହେବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋନପୁରରୁ ଓଡ଼ିଶାରେ ନିର୍ବାଚନ ଲଢ଼େଇର ବିଗୁଲ୍ ବଜାଇବେ। ଦୁଇ ଦିନ ତଳେ ଦିଲ୍ଲୀରେ ଯେଉଁ କଥା କହିଥିଲେ, ସେହି କଥାକୁ ଓଡ଼ିଶାବାସୀଙ୍କ ଆଗରେ ରଖିବା ପାଇଁ ସେ ଆସୁଛନ୍ତି। ସେଠାରେ ଏକ ବିଶାଳ ଜନ ସଭା ଆୟୋଜନ କରାଯିବ। ସେ ଜନସାଧାରଣଙ୍କୁ ସମ୍ୱୋଧିତ କରିବା ପରେ ସେ ଭୁବନେଶ୍ୱର ଆସିବେ। ସନ୍ଧ୍ୟା ବେଳେ ନିର୍ବାଚନ ରଣନୀତି ସମ୍ପର୍କରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିବେ। ରାତିରେ ସେ ଭୁବନେଶ୍ୱରରେ ରହିବେ। ତେଣୁ ଆମେ ଉତ୍ସାହିତ ଅଛୁ। ଓଡ଼ିଶାରେ ଏଥର ବିଜେପି ସରକାର ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।