ଭୁବନେଶ୍ଵର: ଭୁବନେଶ୍ଵରରେ ସର୍ବଭାରତୀୟ ଡିଜି ସମ୍ମିଳନୀ ଆୟୋଜନ ନେଇ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହିକ୍ରମରେ ନଭେମ୍ବର ୨୯ ତାରିଖରେ ରାଜଧାନୀରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ସହିତ ରୋଡ୍ ଶୋ କରିବେ। ମୋଦୀଙ୍କ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଭୁବନେଶ୍ଵରରେ ପହଞ୍ଚିବେ ବୋଲି ମଙ୍ଗଳବାର ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।
ମନମୋହନଙ୍କ ସୂଚନା ଅନୁଯାୟୀ, ୨୯ ତାରିଖ ଶୁକ୍ରବାର ଅପରାହ୍ନ ୪ଟା ୧୫ରେ ଭୁବନେଶ୍ଵର ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ପହଞ୍ଚିବେ। ସେଠାରେ ଏକ ସାଧାରଣ ସଭାରେ ଯୋଗ ଦେବା ସହ ଜନତାଙ୍କୁ ସମ୍ବୋଧିତ କରିବେ। ଏହା ପରେ ବିମାନ ବନ୍ଦରରୁ ରାଜଭବନ ଯାଏଁ ରୋଡ୍ ଶୋ କରିବେ। ସେଠାରୁ ଦଳୀୟ କାର୍ଯ୍ୟାଳୟକୁ ଆସି କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ। ପାର୍ଟି ଅଫିସରେ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବେ। ଏହି ସମୟରେ ବୈଠକରେ ଦଳୀୟ ସାଂସଦ, ମନ୍ତ୍ରୀ, ବିଧାୟକ, ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହିବେ।
ଏହା ପରେ ନଭେମ୍ବର ୩୦ ଓ ଡିସେମ୍ବର ୧ରେ ଡିଜିପି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ। ଡିଜିପି ସମ୍ମିଳନୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡିଜିପି ଯୋଗଦେବେ। ଏହା ସହିତ ବିଭିନ୍ନ ସୁରକ୍ଷା ଏଜେନ୍ସିର ମୁଖ୍ୟମାନେ ଏଥିରେ ଯୋଗ ଦେବେ। ଆଲୋଚନା ହେବ। ପ୍ରଥମ ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏହି ସମ୍ମିଳନୀକୁ ଉଦଘାଟନ କରିବେ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ଓ ଡିଜିପି ସମ୍ମଳନୀ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଜୋରସୋରରେ ଚଳାଇଛନ୍ତି। ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ୍ କଟକଣା ପାଇଁ ରୂପରେଖ ପ୍ରସ୍ତୁତି କରିଛନ୍ତି। ମୋେଦୀଙ୍କ ଗସ୍ତ ସମୟରେ ଯେଭଳି କୌଣସି ତ୍ରୁଟି ନହେବ, ସେଥିପାଇଁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରାଯାଉଛି। ତେବେ ମୋଦୀଙ୍କ ପୂର୍ବରୁ ୨୯ ତାରିଖ ମଧ୍ୟାହ୍ନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭୁବନେଶ୍ବରରେ ପହଞ୍ଚିବେ।