ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ନୂଆ ଦାବିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ମୋଦୀ ଟ୍ରମ୍ପଙ୍କୁ ଡରୁଛନ୍ତି । ଉଲ୍ଲେଖନୀୟ ଟ୍ରମ୍ପ ଦାବି କରିଛନ୍ତି ଯେ, ପିଏମ ମୋଦୀ ତାଙ୍କୁ ବ୍ୟକ୍ତିଗତ ଭାବେ ଭରସା ଦେଇଛନ୍ତି ଯେ, ଭାରତ ଏବେ ରୁଷଠୁ ତେଲ କିଣିବ ନାହିଁ । ପିଏମ ମୋଦୀ ମୋର ମିତ୍ର । ଆମ ଦୁହିଁଙ୍କ ଭଲ ସଂପର୍କ ରହିଛି । ମୋ ମିତ୍ର ମୋତେ ଆଶ୍ୱାସନା ଦେଇଛନ୍ତି ଯେ, ରୁଷଠୁ କୌଣସି ତେଲ କିଣାଯିବ ନାହିଁ ।
ଏହା ଉପରେ ରାହୁଲ ଗାନ୍ଧୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପଙ୍କୁ ଡରୁଛନ୍ତି । ଟ୍ରମ୍ପଙ୍କୁ ସେ ଏହି ନିର୍ଣ୍ଣୟ ନେବାକୁ ଦେଇଛନ୍ତି ଏବଂ ଘୋଷଣା କରିବାକୁ ଦେଲେ ଯେ, ଭାରତ ରୁଷଠୁ ତେଲ କିଣିବ ନାହିଁ । ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ବାରମ୍ବାର ସମାଲୋଚନା କରିବା ସତ୍ତ୍ୱେ ବି ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପଙ୍କୁ ପ୍ରଶଂସାର ସନ୍ଦେଶ ଦେଇ ଚାଲିଛନ୍ତି ।
ଋାହୁଲ କହିଛନ୍ତି, ଅର୍ଥମନ୍ତ୍ରୀଙ୍କ ଆମେରିକା ଗସ୍ତ ରଦ୍ଦ ହୋଇଗଲା । ଶର୍ମ ଅଲ ଶେଖ(ଗାଜା ଶାନ୍ତି ପ୍ରସ୍ତାବ ସହ ସମ୍ବନ୍ଧିତ ଶିଖର ସମ୍ମିଳନୀ)ରେ ଭାରତ ଭାଗ ନେଲା ନାହିଁ । ଅପରେସନ ସିନ୍ଦୂର ଉପରେ ଟ୍ରମ୍ପଙ୍କ ଦାବିକୁ ବି ଭାରତ ସରକାର ଖଣ୍ଡନ କଲେ ନାହିଁ ।
କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ କହିଛନ୍ତି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ଘୋଷଣା କଲେ ଯେ, ପ୍ରଧାନମନ୍ତ୍ରୀ ତାଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ଭାରତ ଆଉ ରୁଷଠୁ ତେଲ କିଣିବ ନାହିଁ । ଏମିତି ପ୍ରତୀତ ହେଉଛି ପ୍ରଧାନମନ୍ତ୍ରୀ ମୋଦୀ ପ୍ରମୁଖ ନିର୍ଣ୍ଣୟକୁ ଆମେରିକାକୁ ଆଉଟସୋର୍ସ କରି ଦେଇଛନ୍ତି । ୫୬ ଇଞ୍ଚର ଛାତି କୁଆଡେ ଗଲା । କଂଗ୍ରେସ ନେତାଙ୍କ ଏମିତି ବୟାନ ଉପରେ ବିଜେପି ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ ।
Also read: ଭାରତ ରୁଷଠୁ ତେଲ କିଣିବ କି ନାହିଁ ? ଜବାବ ଦେଲା ବିଦେଶ ମନ୍ତ୍ରଣାଳୟ, ପୁଣି ଲୋକହସା ହେଲେ ଟ୍ରମ୍ପ