ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଥିଲେ ଯେ, ଭାରତ ରୁଷଠୁ ତେଲ କିଣିବା ଉପରେ ରୋକ୍ ଲଗାଇଛି । ଏହା ଉପରେ ଏବେ ଭାରତ ସରକାରଙ୍କ ପକ୍ଷରୁ ରୋକଠୋକ ଜବାବ ଆସିଛି । ବିଦେଶ ମନ୍ତ୍ରଣାଳୟ କହିଛି ଯେ, ଦେଶବାସୀଙ୍କ ହିତ ଆମର ପ୍ରଥମ ପ୍ରାଥମିକତା । ଭାରତ ବ୍ୟାପକ ମାତ୍ରାରେ ଗ୍ୟାସ ଓ ତେଲ ଆମଦାନୀ କରିଥାଏ । ଅସ୍ଥିର ବଜାରକୁ ଦୃଷ୍ଟିରେ ରଖି ତୈଳ ଓ ଗ୍ୟାସ ଆମଦାନୀ କରିବାର ଉଦ୍ଦେଶ୍ୟ ହେଉଛି ଆମ ଦେଶବାସୀଙ୍କ ହିତକୁ ପ୍ରାଥମିକତା ଦେବା ।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଆମେ ଅନ୍ୟ କୌଣସି କାରକରେ ପ୍ରଭାବିତ ହୋଇ ନିଷ୍ପତ୍ତି ନେଉନା । ଭାରତ ସରକାରଙ୍କ ଏହି ଜବାବ ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ଉପରେ ଆସିଛି ।
ରଣଧୀର ଜୟସ୍ୱାଲ କହିଛନ୍ତି, ଆମେ ବଜାରର ସ୍ଥିତିକୁ ଦୃଷ୍ଟିରେ ରଖି ଅଲଗା ଅଲଗା ଦେଶ ସହ ଡିଲ୍ କରିଥାଉ । ଆମେରିକାଠୁ ମଧ୍ୟ ଆମେ କିଛି ବର୍ଷ ମଧ୍ୟରେ ତେଲ କିଣିଲୁ ଏବଂ ଆମଦାନୀ ପରିମାଣ ବି ବଢି ଚାଲିଛି । ବର୍ତ୍ତମାନର ପ୍ରଶାସନ ମଧ୍ୟ ଭାରତ ସହିତ ଉର୍ଜା ସଂପର୍କକୁ ବଢାଇବାକୁ ପ୍ରାଥମିକତା ଦେଇଛନ୍ତି ଏବଂ ଆଲୋଚନା ଜାରି ରହିଛି ।
ଉଲ୍ଲେଖନୀୟ ଏହା ପୂର୍ବରୁ ମଧ୍ୟ ଆମେରିକା ସହ ୟୁରୋପୀୟ ଦେଶଗୁଡିକ ପକ୍ଷରୁ ରୁଷଠୁ ତେଲ କିଣିବା ନେଇ ଭାରତ ଉପରେ ପ୍ରଶ୍ନ ଉଠାଇଥିଲେ । ଏହା ଉପରେ ଭାରତ ଜବାବ ଦେଇଥିଲା ଯେ, ଏମିତି କଟକଣା କେହି ଲଗାଇ ପାରିବେ ନାହିଁ । ପ୍ରତ୍ୟେକ ଦେଶ ନିଜର ହିତକୁ ପ୍ରାଥମିକତା ଦିଅନ୍ତି ଏବଂ ଭାରତ ମଧ୍ୟ ତାହା କରୁଛି ।
Also read: ଟ୍ରମ୍ପଙ୍କ ଶୁଳ୍କ ମଧ୍ୟରେ ଭାରତକୁ ସମର୍ଥନ ଜଣାଇଲା ସ୍ୱିଜରଲ୍ୟାଣ୍ଡ