ଭୁବନେଶ୍ୱର : ଗୁରୁବାର ବିରୋଧୀଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୯ ବର୍ଷରେ ପଦାର୍ପଣ କରିଛନ୍ତି। ନବୀନଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘ ଏବଂ ସୁଖମୟ ଜୀବନ କାମନା କରୁଛି। ଏଥିସହ ଫୋନ ଯୋଗେ ମଧ୍ଯ କଥା ହୋଇ ସେ ନବୀନଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି।
ସେହିପରି ଓଡ଼ିଶା ରାଜ୍ଯପାଳ ହରିବାବୁ କମ୍ଭମପତି ମଧ୍ଯ ନବୀନଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଅନେକ ପ୍ରଶଂସକ ମଧ୍ଯ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନବୀନ ପଟ୍ଟନାୟକ ୭୯ ବର୍ଷରେ ପାଦ ଥାପିଛନ୍ତି। ଏଥର କିନ୍ତୁ ସେ ନିଆରା ଢଙ୍ଗରେ ନିଜର ଜନ୍ମ ଦିନ ପାଳନ କରିବେ ବୋଲି ଜଣାପଡିଛି। ନିଜର ଜନ୍ମଦିନରେ ସେ ସାଧାରଣ ସଭା ଓ କାର୍ଯ୍ୟକ୍ରମରେ ସାମିଲ ହୋଇ ଜନ୍ମଦିନ ପାଳିବେ। ଏକାମ୍ର ନିର୍ବାଚନମଣ୍ଡଳୀରେ ଦଳୀୟ ପଦଯାତ୍ରାରେ ଯୋଗ ଦେଇ କର୍ମୀମାନଙ୍କୁ ଉତ୍ସାହିତ କରିବେ।