ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଜୟ ଢୋଲକିଆଙ୍କ ନାମରେ ମୋହର ମାରିଛି । ବୁଧବାର ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଜୟଙ୍କ ନାମକୁ ବିଧିବଦ୍ଧ ଭାବରେ ପ୍ରକାଶ କରିଛି । ଏହା ସହିତ ଅନ୍ୟ ରାଜ୍ୟ ଯଥା ଜାମ୍ମୁ କଶ୍ମୀର, ତେଲେଙ୍ଗାନା ଓ ଝାରଖଣ୍ଡରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଉ ଚାରି ଜଣଙ୍କ ନାମ ମଧ୍ୟ ଘୋଷଣା କରିଛି ।
ଆସନ୍ତାକାଲି ବିଜେପି ନିଜର ଶକ୍ତି ପ୍ରଦର୍ଶନ କରିବ । ବିଶାଳ ଶୋଭାଯାତ୍ରାରେ ଯାଇ ଜୟ ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦାଖଲ କରିବେ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିବେ । ଏହା ସହିତ ମିଶ୍ରଣ ପର୍ବ ହେବ, ଯେଉଁଥିରେ ହଜାର ହଜାର ବିଜେଡ଼ି ଏବଂ କଂଗ୍ରେସ କର୍ମୀ ପଦ୍ମ ଧରିବେ ।
ଗତ ୧୧ ତାରିଖରେ ଜୟ ଢୋଲକିଆ ବିଜେଡ଼ିକୁ ଝଟକା ଦେଇ ବିଜେପିରେ ଯୋଗ ଦେଇଥିଲେ । ଉପନିର୍ବାଚନ ପାଇଁ ତାଙ୍କ ନାମ ଏକ ପ୍ରକାର ଚୂଡ଼ାନ୍ତ ହୋଇସାରିଥିବାବେଳେ କେବଳ ବିଧିବଦ୍ଧ ଘୋଷଣା ବାକି ରହିଥିଲା ।
ସେହିପରି ବିଜେପି ପୂର୍ବରୁ କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଥିଲା । କିନ୍ତୁ ବିଜେଡ଼ିରେ ଏବେବି ଦ୍ୱନ୍ଦ୍ୱ ଲାଗି ରହିଛି । ମନୋଜ ମିଶ୍ର ଏବଂ ଭାନୁପ୍ରତାପ ସିଂ ମାଝୀଙ୍କ ନାମକୁ ନେଇ ବିବାଦ ତୁଟୁନି । ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ପ୍ରଣବ ପ୍ରକାଶ ଦାସ, ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରିଆ ଏବଂ ତିନି ଆଶାୟୀ ପ୍ରାର୍ଥୀ ନବୀନ ନିବାସରେ ରହିଛନ୍ତି । ବିଜେଡ଼ି ଆଜି ପ୍ରାର୍ଥୀ ଘୋଷଣା କରିବାର ସମ୍ଭାବନା ରହିଛି ।