ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ମେଣ୍ଟ ପକ୍ଷରୁ ପ୍ରାର୍ଥୀ ଘୋଷଣା ଜାରି ରହିଛି । ବୁଧବାର ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଜନତା ଦଳ ୟୁନାଇଟେଡ୍ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏନଡିଏ ମେଣ୍ଟରୁ ଆସିଥିବା ୧୦୧ ଆସନରୁ ଜେଡିୟୁ ପ୍ରାଥମିକ ପର୍ଯ୍ୟାୟରେ ୫୭ଟି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ।
ଜାରି ହୋଇଥିବା ପ୍ରାର୍ଥୀ ତାଲିକାରେ ବହୁ ବରିଷ୍ଠ ନେତାଙ୍କ ନାମ ସାମିଲ ରହିଛି । ଜେଡିୟୁର କ୍ୟାବିନେଟ୍ ମନ୍ତ୍ରୀ ମହେଶ୍ୱର ହଜାରୀ କଲ୍ୟାଣପୁରରୁ ଲଢ଼ିବେ, ସୋନବରସାରୁ ରତ୍ନେଶ ସଦା, ମୋକମାରୁ ଅନନ୍ତ ସିଂହ, ମୋରବାରୁ ବିଦ୍ୟାସାଗର ନିଷାଦ, ଏକମାରୁ ଘୁମଲ ସିଂହ, ମୀନାପୁରରୁ ଅଜୟ କୁଶୱା ଏବଂ ରାଜଗୀରୁ କୌଶଲ କିଶୋରଙ୍କୁ ଟିକେଟ୍ ମିଳିଛି ।
ଚିରାଗ ପାଶୱାନ ଦାବି କରୁଥିବା ଚାରୋଟି ଆସନ ଯଥା ସୋନବରସା, ମୋରବା, ଏକମା, ଏବଂ ରାଜଗୀର ଆସନରେ ଜେଡିୟୁ ପ୍ରାର୍ଥୀ ଦେଇଛି ।
ଗତକାଲି ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ତାଲିକାରେ ୭୧ ଜଣ ଆଶାୟୀଙ୍କ ନାଁ ରହିଥିଲା । ବରିଷ୍ଠ ବିଜେପି ନେତା ତଥା ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ତାରାପୁର ସିଟରୁ ପ୍ରତିଦ୍ୱନ୍ଦିତା କରିବେ । ସେହିପରି ରାମ କୃପାଳ ଯାଦବଙ୍କୁ ଦାନାପୁର ଆସନରୁ ପ୍ରାର୍ଥୀ କରିଛି।
ଦୀର୍ଘ ଦିନ ହେଲା ବିହାରରେ ଏନଡିଏ ମେଣ୍ଟ ଭିତରେ ସିଟ୍ ବୁଝାମଣାକୁ ନେଇ ଅଙ୍କ ଛିଣ୍ଡିପାରୁନଥିଲା। ନିଷ୍ପତ୍ତି ମୁତାବକ ଏଥର ବିଜେପି ଏବଂ ଜେଡିୟୁ ୧୦୧ ଟି ଲେଖାଏଁ ସିଟରେ ନିର୍ବାଚନ ଲଢିବେ । ଏଲଜେପି (ଆର୍) ୨୯ଟି ଆସନରେ ନିର୍ବାଚନ ଲଢ଼ିବ। ସେହିପରି ହାମ୍ ଏବଂ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ୬ଟି ଲେଖାଏଁ ସିଟରେ ନିର୍ବାଚନ ଲଢିବେ।