ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ଏକାତରଫା ମତଦାନ ହେବ । ବିଜେପି ରେକର୍ଡ ସଂଖ୍ୟାରେ ବିଜୟ ଲାଭ କରିବ ବୋଲି ଆଜି ପ୍ରଥମ ସଭାରେ ରଣ ହୁଂକାର ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ।
ଆଜି ନୂଆପଡ଼ାରେ ବିଶାଳ ସମାବେଶ ହୋଇଛି । ଉପନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାର ପ୍ରସାର ସେତିକି ଜୋରରେ ଆରମ୍ଭ ହୋଇଛି । ବିଜେପି ତାର ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କରିଦେଇଛି । ଆଜିର ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟପାଲ ସିଂ ତୋମାର, ସୂରେଶ ପୂଜାରୀ, ପ୍ରଦୀପ ପୁରୋହିତ, ଜୟ ନାରାୟଣ ମିଶ୍ର ପ୍ରମୁଖ ସହିତ ଅନେକ ତୁଙ୍ଗ ନେତା ସାମିଲ ହୋଇଛନ୍ତି ।
ସଭାପତି ମନମୋହନ ସାମଲ ଜନସଭାକୁ ଉଦବୋଧନ ଦେଇ କହିଛନ୍ତି ବିଜେପି ସରକାର ଆସିବା ପରେ ରତ୍ନ ଭଣ୍ଡାର ଖୋଲିବାଠାରୁ ଆରମ୍ଭ କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ସୁଭଦ୍ରା ଯୋଜନା ଆଦି ଲାଗୁ କରିଛନ୍ତି । ରେକର୍ଡ ଭୋଟ୍ ଦେଇ ଇତିହାସ ସୃଷ୍ଟି କରିବାକୁ ସଂକଳ୍ପ ନେବାକୁ ମନମୋହନ ଆହ୍ୱାନ ଦେଇଛନ୍ତି । ସମଗ୍ର ଦେଶରେ ବିଜେପିର ବିଚାରଧାରା ପହଁଚିଛି । ନୂଆପଡ଼ାରେ ଏକତରଫା ମତଦାନ ହେବ ଏବଂ ବିଜେପି ରେକର୍ଡ ସଂଖ୍ୟକ ଭୋଟରେ ବିଜୟ ଲାଭ କରିବ ମନମୋହନ ଦୃଢ଼ କଣ୍ଠ ସ୍ୱରରେ କହିଛନ୍ତି । ନିର୍ବାଚନରେ ଜୟଙ୍କୁ ପଦ୍ମ ଫୁଲରେ ଭୋଟ୍ ଦେଇ ବିଜୟ କରିବାକୁ ନୂଆପଡ଼ା ବାସୀଙ୍କୁ କହିଛନ୍ତି ।