ବାରିପଦା : ବନ୍ଦ କୋଠରୀରୁ ଉଦ୍ଧାର ହେଲା ୧୦୭ବସ୍ତା ବିସ୍ଫୋରକ ସାମଗ୍ରୀସମେତ ୩ଡ୍ରମ ମେଟାଲ ପାଉଡର ଓ ବାରୂଦ । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥ ପାର୍ଶ୍ୱ ପଦ୍ମନାଭପୁର ଗାଁ ରେ ଏକ ଘରୁ ପୋଲିସ୍ ଏହି ସବୁ ସାମଗ୍ରୀ ଜବତ କରିଛି। ଗ୍ରାମବାସୀଙ୍କ ଅଗୋଚରରେ ଗାଁ ଭିତରେ ଏକ ଘରେ ରହୁଥିଲା ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ। ଯାହା ଫଳରେ ୩ଶହ ପରିବାର ଜୀବନ ବାଜିରେ ଲାଗିଥିଲା।
ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବରପାଇ ପୋଲିସ୍ ପଦ୍ମନାଭପୁର ଗାଁର ଉକ୍ତ ଘର ଉପରେ ଅତର୍କିତ ଚଢ଼ଉ କରିଥିଲା। ଚଢଉ ସମୟରେ ୧୦୭ବସ୍ତା ବିସ୍ଫୋରକ ସାମଗ୍ରୀ ସମେତ ୩ଡ୍ରମ ମେଟାଲ ପାଉଡର ଓ ବାରୂଦ ଜବତ ହୋଇଥିଲା । ସମସ୍ତ ଜବତ ସାମଗ୍ରୀକୁ ସତର୍କତା ପୂର୍ବକ ବାହାରକୁ ଆଣି ଥିଲେ ଓ ୩ଟି ପିକଅପ ଭ୍ୟାନରେ ବୋଝେଇ କରି ଥାନାକୁ ନେଇ ଆସିଥିଲେ। ଘଟଣାରେ ଘର ମାଲିକକୁ ଅଟକ ରଖି ପୁଲିସ ପଚରାଉଚରା ଜାରି ରଖିଛି।