ଗାନ୍ଧୀନଗର: ଗୁଜରାଟରେ ସରକାରରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଆସନ୍ତାକାଲି ଭୁପେନ୍ଦ୍ର ଭାଇ ପଟେଲଙ୍କ କ୍ୟାବିନେଟ୍ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବାର ସମ୍ଭାବନା ରହିଛି । ଏହା ପୂର୍ବରୁ ଗୁରବାର ସମସ୍ତ ମନ୍ତ୍ରୀ ପରିଷଦ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।
ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଗୁଜରାଟରେ ପହଁଚିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ଭାଇ ପଟେଲଙ୍କ ବାସଭବନରେ ରାଜ୍ୟ ବିଜେପି ସଭାପତି ଏବଂ ବରିଷ୍ଠ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶରେ ମନ୍ତ୍ରୀମଣ୍ଡଳ ପରିଷଦ ଇସ୍ତଫା ଦେଇଛନ୍ତି । କେବଳ ଗୁଜରାଟ ରାଜ୍ୟ ବିଜେପି ସଭାପତି ଜଗଦୀଶ ବିଶ୍ୱକର୍ମା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ବାଦ ଦେଇ ଅନ୍ୟ ୧୬ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ସମସ୍ତ ମନ୍ତ୍ରୀମାନେ ନିଜ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି । ଆଜି ରାତିରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେବେ ।
ଆସନ୍ତାକାଲି ପୂର୍ବାହ୍ନ ୧୧ଟା ୩୦ରେ ଗାନ୍ଧୀନଗର ସ୍ଥିତ ମହାତ୍ମା ମନ୍ଦିରରେ ନୂତନ ମନ୍ତ୍ରୀମଣ୍ଡଳ ଶପଥ ନେବେ । ଏଥିରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ନଡ୍ଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ରହିବେ । ନୂତନ ମନ୍ତ୍ରୀମଣ୍ଡଳରେ ୧୫ରୁ ୨୬ ଜଣ ସଦସ୍ୟ ରହିବେ । ବର୍ତ୍ତମାନ ପଦରେ ଥିବା ୭ରୁ ୧୦ ଜଣ ମନ୍ତ୍ରୀଙ୍କୁ ନୂଆ ଟିମରେ ସାମିଲ କରାଯାଇ ନପାରେ ।