ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ଗୁରୁବାର ଦିନ ସମଗ୍ର ଦେଶରୁ ପ୍ରତ୍ୟାହାର ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି। ଓଡ଼ିଶାର ଅବଶିଷ୍ଟ ଅଞ୍ଚଳ ସମେତ ଦେଶରୁ ବିଦାୟ ନେଇଛି ମୌସୁମୀ।
ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁଥିଲା ମୌସୁମୀ ବାୟୁ। ମେ ୨୪ ତାରିଖରେ କେରଳରେ ପହଞ୍ଚିଥିଲା। ସେହିପରି ମଇ ୨୮ ତାରିଖରେ ଏହା ଓଡ଼ିଶା ଛୁଇଁଥିଲା। ଏବେ ସାରା ଦେଶରୁ ମୌସୁମୀ ଅପସାରଣ ନେଇ ପାଗ ଅନୁକୂଳ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାରା ଦେଶରୁ ଦକ୍ଷିଣ ପଶ୍ଚିମ ବାୟୁ ଅପସାରଣ ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଏଥିସହିତ ଆଗାମୀ ୫ ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ।
ସେପଟେ ଆସନ୍ତା ୨୪ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବା ନେଇ ସୂଚନା ରହିଛି।