କଟକ: ସବୁବର୍ଷ ଭଳ ଚଳିତ ଥର ମଧ୍ୟ ଐତିହାସିକ କଟକ ବାଲିଯାତ୍ରାରେ ଲାଗିବ ବଲିଉଡ୍ ତଡ଼କା । ଏହା ସହିତ ଧମାଲ୍ କରିବେ ଓଲିଉଡ଼୍ କଳାକାର । ଏ ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ।
ବାଲିଯାତ୍ରାରେ ସୁନାମଧନ୍ୟ ଗାୟିକା ଶ୍ରେୟା ଘୋଷାଲ, ପଞ୍ଜାବୀ ତଥା ବଲିଉଡ୍ ଗାୟିକା ହର୍ଷଦୀପ କୌର ଏବଂ ଇଣ୍ଡିଆନ୍ ଆଇଡିଆଲ୍ ବିଜେତା ଋଷି ସିଂ ନିଜ କଣ୍ଠର ଯାଦୁ ଦେଖାଇବେ । ଏହା ବ୍ୟତୀତ ଓଲିଓଡ୍ର ୧୪ ଜଣ ପ୍ରସିଦ୍ଧ ଗାୟକ ଓ ଗାୟିକା ଦର୍ଶକଙ୍କୁ ନିଜ ଗୀତରେ ମତୁଆଲା କରିବେ । ଉଭୟ ବୈଷ୍ଣବ ପାଣି ଓ ଅକ୍ଷୟ ମହାନ୍ତି ମଞ୍ଚରେ ହେବ କାର୍ଯ୍ୟକ୍ରମ ।
ବାଲିଯାତ୍ରାରେ ୪ଟି ପ୍ରବେଶ ପଥ ଓ ୯ଟି ପ୍ରସ୍ଥାନ ପଥ ରହିବ । ଏହାବ୍ୟତୀତ ଜରୁରୀକାଳୀନ ପ୍ରସ୍ତାନ ପାଇଁ ୬ଟି ଗେଟ୍ ରହିବ । ସେହିପରି କଟକ ଇନ୍ କଟକରେ ଓଡ଼ିଆ ଭାଷା ଓ ଓଡ଼ିଆ ସାହିତ୍ୟ ବିଷୟବସ୍ତୁ ରହିବ ।
ଆସନ୍ତା ନଭେମ୍ବର ୫ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଐତିହାସିକ ବାଲିଯାତ୍ରା ଚାଲିବ । ଉଭୟ ଏବଂ ତଳ ପଡ଼ିଆରେ ମେଳା ଆୟୋଜନ ହେବ । ଉପର ପଡ଼ିଆରେ ଐତିହ୍ୟ ସଂପର୍କିତ ଷ୍ଟଲ୍ ସହ ପାର୍କିଂ ବ୍ୟବସ୍ଥା ମଧ୍ୟ ରହିବ । ଏ ବର୍ଷ ପ୍ରାୟ ୭୦ ଲକ୍ଷ ଲୋକଙ୍କ ସମାଗମ ଆକଳନ କରାଯାଉଛି । ବାଲିଯାତ୍ରା ପ୍ରତି ନିଆରା ଆକର୍ଷଣ ଯୋଗୁଁ ପ୍ରତିଦିନ ସଂଧ୍ୟାରେ ପ୍ରାୟ ୭-୮ ଲକ୍ଷ ଜନସମାଗମର ସମ୍ଭାବନା ରହିଛି ।