ପଲବଲ: ଇସ୍ରାଏଲ ଓ ଇରାନ ମଧ୍ୟରେ ଆରମ୍ଭ ଲଢେଇର ପଦଧ୍ୱନୀ ଏବେ ହରିୟାଣା ବିଧାନସଭା ନିର୍ବାଚନରେ ମଧ୍ୟ ଶୁଭିଲାଣି । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଗୁରୁବାର ହରିୟାଣାର ପଲବଲର ଏକ ରାଲି ସମୟରେ ହିଜବୁଲ୍ଲାର ନିହତ ଖବର ଉଲ୍ଲେଖ କରିଛନ୍ତି । ଏଥିସହ ଭଗବାନ ଇସ୍ରାଏଲକୁ ଶକ୍ତି ଦେବାକୁ ପ୍ରାର୍ଥନା କରିଛନ୍ତି । ଶର୍ମା କହିଛନ୍ତି ଯଦି ହରିୟାଣାରେ କଂଗ୍ରେସ ସରକାରକୁ ଆସେ ତେବେ ଏଠାରେ ପାକିସ୍ତାନ ଜିନ୍ଦାବାଦ ନାରା ଉଠିବ ଓ ହିନ୍ଦୁମାନଙ୍କୁ ପଳାୟନ କରିବାକୁ ପଡିବ ।
ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶର କୋଣ ଅନୁକୋଣରୁ ବାହାର ଲୋକଙ୍କୁ କାଢିବାର ଅଛି । ପୂରା ଭାରତରେ କଂଗ୍ରେସ ତୃଷ୍ଟୀକରଣ ମାହୋଲ ତିଆରି କରି ରଖିଛି । ଯେଉଁଠି କି କଂଗ୍ରେସ ଯାଉଛି ସେଠାରେ ମିଆଁ ଓ ମୁସଲମାନଙ୍କ ଉନ୍ନତି କଥା କହୁଛି । ତାହା ବି ଭଲ, କିନ୍ତୁ ହିନ୍ଦୁଙ୍କୁ ଅଣଦେଖା କରିବା କେତେ ଦୂର ଯୁକ୍ତିଯୁକ୍ତ । ଯଦି ଦେଶରେ କଂଗ୍ରେସ ସରକାର ନ ଥାନ୍ତା ତେବେ ୭୫ ବର୍ଷ ପୂର୍ବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହୋଇ ସାରିଥାନ୍ତା । କଂଗ୍ରେସ ବାବରଙ୍କୁ ପାଳି କି ରଖିଥିଲା । ଏବେ ବାବରଙ୍କ ଜାଗା ରାମଲଲା ଆସି ଯାଇଛନ୍ତି । ମାତ୍ର ଦେଶର କୋଣ ଅନୁକୋଣରେ ବାବର ଛପି ରହିଛନ୍ତି ।
ଏହି ସମୟରେ ସେ ଇରାନ-ଇସ୍ରାଏଲ ଲଢେଇ ଉଲ୍ଲେଖ କରି କହିଛନ୍ତି, ଭଗବାନ ଇସ୍ରାଏଲକୁ ଶକ୍ତି ଦିଅନ୍ତୁ ଯେମିତି ସେ ସମସ୍ତ ନସରୁଲ୍ଲାକୁ ନିପାତ କରି ପାରିବ । ଇରାନର ଏମିତି ଆକ୍ରମଣ ନିନ୍ଦାଜନକ । ସେ ଏହା ମଧ୍ୟ କହିଛନ୍ତି, ଇସ୍ରାଏଲ ଯେଉଁଭଳି ଭାବେ ଆତଙ୍କ ବିରୋଧରେ କାମ କରିଛି, ଠିକ୍ ସେହି ପରି କାମ ଭାରତରେ ମଧ୍ୟ କରିବାକୁ ପଡିବ ।