ଭୁବନେଶ୍ଵର: ବ୍ରିଜ ଆଣ୍ଡ ରୁଫ କଂପାନୀ ଜିଜିଏମ୍ଙ୍କ ସହ ଟଙ୍କା କାରବାର ମାମଲାରେ ଛନ୍ଦି ହୋଇପଡ଼ିଥିବା ବରିଷ୍ଠ IAS ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ ବଢିବାରେ ଲାଗିଛି।ଲାଞ୍ଚ କାରବାର ମାମଲାରେ ତାଙ୍କର ସଂପୃକ୍ତିକୁ ନେଇ ସ୍ପଷ୍ଟ ହୋଇ ନ ଥିଲେ ହେଁ ତାଙ୍କୁ ତିନୋଟି ବିଭାଗ ସଚିବ ପଦରୁ ହଟାଇଛନ୍ତି ରାଜ୍ୟ ସରକାର। ବିଷ୍ଣୁପଦଙ୍କୁ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏସଡି ଭାବେ ନିଯୁକ୍ତ କରାଯାଇଛି।
ସୂଚନା ଅନୁଯାୟୀ, ୧୦ ଲକ୍ଷ ଟଙ୍କା ଡିଲ୍ ମାମଲାରେ ୧୯୯୫ ବ୍ୟାଚ୍ର ଏହି ଆଇଏଏସଙ୍କ ତିନି ଡ୍ରାଇଭରଙ୍କୁ ସିବିଆଇ ସମନ ଜାରି କରିବା ପରେ ତାଙ୍କର ଘଟଣାରେ ସଂପୃକ୍ତି ଥିବା ପ୍ରତୀୟମାନ ହେଉଛି। ଏ ପର୍ଯ୍ୟନ୍ତ ବିଷ୍ଣୁପଦଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଘଟଣାରେ ବିରୋଧୀମାନେ ସରକାରଙ୍କୁ ଘେରିଛନ୍ତି। କାହିଁକି ବିଷ୍ଣୁପଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଆଉ ଏବେବି ତାଙ୍କୁ କାହିଁକି ବିଭିନ୍ନ ବଡ଼ ବଡ଼ ବିଭାଗର ସଚିବ ଦାୟିତ୍ବ ଦିଆଯାଇଛି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେପଟେ ଟଙ୍କା ଡିଲ୍ ହେବାର ୪ ଦିନ ପୂର୍ବରୁ ବ୍ରିଜ୍ ଆଣ୍ଡ ରୁପ୍ କର୍ପୋରେସନ ଇଷ୍ଟକୋଷ୍ଟ ଜିଏମ ବି କେ ସିଂହଙ୍କ ପକ୍ଷରୁ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କୁ ଭେଟିବା ଲାଗି ପଠାଯାଇଥିବା ଚିଠି ସାମ୍ନାକୁ ଆସିବା ପରେ ଶ୍ରୀ ସେଠୀଙ୍କ ବିପଦ ବଢି ଯାଇଛି।
ସାମାଜିକ ନ୍ୟାୟ ଓ ସଶକ୍ତୀକରଣ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଦାୟିତ୍ଵରେ ଥିଲେ ବିଷ୍ଣୁପଦ ସେଠୀ। ଏଥିସହ ଏସଟି/ଏସସି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦାୟିତ୍ଵ ମଧ୍ୟ ରହିଥିଲେ। ତାଙ୍କୁ ଏସବୁ ପଦରୁ ହଟାଇ ରାଜ୍ୟ ସରକାର ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏସଡି ଭାବେ ନିଯୁକ୍ତ କରାଯାଇଛି। ବିଷ୍ଣୁପଦଙ୍କ ସ୍ଥାନରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ସଞ୍ଜୀବ ମିଶ୍ରଙ୍କୁ ଦାୟିତ୍ଵ ଦିଆଯାଇଛି। ଆଇଏଏସ ମନୋଜ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ ଦାୟିତ୍ଵ ଦିଆଯାଇଛି।