ସମ୍ବଲପୁର: ବରିଷ୍ଠ ବିଜେଡି ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ ସ୍ୱର୍ଗତ କ୍ଷୀରୋଦ ମଲ୍ଲିକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ । ଆଜି ସକାଳୁ କ୍ଷୀରୋଦ ମଲ୍ଲିକଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଇଡି ଚଢ଼ାଉ କରୁଛି । ଦିଲ୍ଲୀର ଗୋଟିଏ ଓ ସମ୍ବଲପୁରର 3ଟି ସ୍ଥାନରେ ଇଡି ଚଢ଼ାଉ କରୁଛି । ସିଆରପିଏଫ ଯବାନଙ୍କ ଉପସ୍ଥିତରେ ବ୍ୟାପକ ସୁରକ୍ଷା ବଳୟ ମଧ୍ୟରେ ରେଡ୍ ଚାଲିଥିବା ନେଇ ସୂଚନା ମିଳିଛି ।
କ୍ଷୀରୋଦ ଚଳାଉଥିବା ଏନଜିଓ ‘ବିଶ୍ୱ’ ନାଁରେ ଜାଲିଆତି କରିଥିବା ଅଭିଯୋଗ ହେଉଛି । ସେ ବିଭିନ୍ନ ରାଷ୍ଟ୍ରାୟତ୍ତ ଏବଂ ଅନ୍ତର୍ଜାତୀୟ ବ୍ୟାଙ୍କରୁ ୨୩୧ କୋଟି ଟଙ୍କା ଋଣ କରି ପୈଠ କରି ନ ଥିବା ଅଭିଯୋଗ ହୋଇଛି ।
ସ୍ୱର୍ଗତ କ୍ଷୀରୋଦ ମଲ୍ଲିକ ‘ବିଶ୍ୱ’ର ଫାଉଣ୍ଡର୍ ଥିଲେ । କ୍ଷୀରୋଦଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଦେବବ୍ରତ୍ତ ମଲ୍ଲିକ ଏବେ ଏହି ସଂସ୍ଥାକୁ ଚଳାଉଛନ୍ତି । ସେ ଏହା ମାଧ୍ୟମରେ ପ୍ରାୟ ୨୮ଟି ବ୍ୟାଙ୍କରୁ ୨୩୧ କୋଟି ଟଙ୍କା ଋଣ କରିଥିବା ଅଭିଯୋଗ ହୋଇଛି ।
ଗତ ୨୦୨୪ ନିର୍ବାଚନରେ କ୍ଷୀରୋଦ ମଲ୍ଲିକ ଏହି ସବୁ ଟଙ୍କା ଲଗାଇଥିବା ନେଇ ଅଭିଯୋଗ ଆସିଥିଲା I ଏନେଇ ଦିଲ୍ଲୀ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ସୂଚନା ଦିଆଯାଇଛି ।
ପୂର୍ବରୁ ମଧ୍ୟ ବିଶ୍ୱ ଏନଜିଓରେ କ୍ରାଇମବ୍ରାଞ୍ଚ ପକ୍ଷରୁ ୩ ଥର ଚଢ଼ାଉ କରାଯାଇଛି। ଏଥିସହ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଥିଲା।