ନୂଆଦିଲ୍ଲୀ: ଦେଶରେ ଲୋକସଭା ଓ ବିଧାନସବା ନିର୍ବାଚନ ଏକ ସଙ୍ଗେ କରାଇବା ନେଇ ପ୍ରାବଧାନ ‘ଏକ ଦେଶ ଏକ ନିର୍ବାଚନ’ ବିଧେୟକ ଉପରେ ଆଲୋଚନା ପାଇଁ ଗଠନ ହୋଇଛି ଯୁଗ୍ମ ସଂସଦୀୟ କମିଟି(ଜେପିସି)। ଏଥିରେ କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସଦସ୍ୟ ଭାବେ ରହିଛନ୍ତି । କମିଟିରେ ମୋଟ୍ ୩୧ ସଦସ୍ୟ ରହିଛନ୍ତି। ଏଥିରେ ୨୧ ଲୋକସଭା ଓ ୧୦ ରାଜ୍ୟସଭା ସାଂସଦ ସାମିଲ। ଜେପିସିରେ ଓଡ଼ିଶାର କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ପୁରୀର ସାଂସଦ ଡ. ସମ୍ବିତ ପାତ୍ର ରହିଛନ୍ତି।
ଆସନ୍ତକାଲି ଲୋକସଭାରେ କମିଟି ଗଠନର ପ୍ରସ୍ତାବ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଉପସ୍ଥାପନ କରିବେ । ଆଇନ ମନ୍ତ୍ରୀ ରହି ସାରିଥିବା ପିପି ଚୌଧୁରୀଙ୍କୁ କମିଟିର ଅଧ୍ୟକ୍ଷ କରାଯାଇପାରେ । ତେବେ ଅନୁରାଗ ସିଂ ଠାକୁର ମଧ୍ୟ ଅଧ୍ୟକ୍ଷ ପଦ ପାଇଁ ଦାବିଦାର । ତେବେ ନିୟମ ଅନୁସାରେ ବାଚସ୍ପତି ଓମ ବିର୍ଲା ଅନ୍ତିମ ନିର୍ଣ୍ଣୟ ନେବେ । କମିଟିରେ ସାମିଲ ଲୋକସଭା ସଦସ୍ୟଙ୍କ ମଧ୍ୟରୁ ୧୪ ଏନଡିଏର ଥିବା ବେଳେ ଏଥିରୁ ୧୦ ଜଣ ବିଜେପିର ଅଛନ୍ତି ।
ଜେପିସିର ରିପୋର୍ଟ ମିଳିବା ପରେ ସଂସଦରେ ଏହି ବିଧେୟକ ଗୃହୀତ କରାଇବାରେ ନରେନ୍ଦ୍ର ମୋଦୀ ସରକାରଙ୍କ ପାଇଁ କାଠିକର ପାଠ ହୋଇପାରେ। କାରଣ 'ଏକ ଦେଶ ଏକ ନିର୍ବାଚନ' ସଂପର୍କିତ ବିଧେୟକ ହେଉଛି ସମ୍ବିଧାନ ସଂଶୋଧନ ବିଧେୟକ। ତେଣୁ ଏହାକୁ ଲୋକସଭା ଓ ରାଜ୍ୟସଭାରେ ପାରିତ କରାଇବା ପାଇଁ ବିଜେପି ନେତୃତ୍ଵାଧୀନ ଏନଡିଏ ସରକାରକୁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଜରୁରୀ। ବଜେଟ୍ର ଅଧିବେଶନର ଶେଷ ସପ୍ତାହର ପ୍ରଥମ ଦିନରେ ଜେପିସି ନିଜର ରିପୋର୍ଟ ଗୃହରେ ଉପସ୍ଥାପନ କରିବ।
ସୂଚନାଯୋଗ୍ୟ, ମଙ୍ଗଳବାର ଲୋକସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ବିଧେୟକ ଆଗତ ହୋଇଛି। ଗୃହରେ ବିଧେୟକ ଉପସ୍ଥାପନ କରିବା ପ୍ରସ୍ତାବ ସପକ୍ଷରେ ୨୬୯ ସାଂସଦଙ୍କ ଭୋଟ୍ ପଡ଼ିଥିବା ବେଳେ ଏହାରି ବିରୋଧରେ ୧୯୮ ଭୋଟ୍ ପଡ଼ିଥିଲା। ଏହା ପରେ ବିଧେୟକକୁ ଯୁଗ୍ମ ସଂସଦୀୟ କମିଟି(ଜେପିସି)କୁ ପଠାଇ ଦିଆଯାଇଥିଲା।
ଜେପିସିରେ ଥିବା ଲୋକସଭା ସାଂସଦ
୧ – ପିପି ଚୌଧୁରୀ(ବିଜେପି)
୨ – ଡ. ସିଏମ ରମେଶ(ବିଜେପି)
୩ – ବାଂଶୁରୀ ସ୍ଵରାଜ(ବିଜେପି)
୪- ପରଷୋତ୍ତମଭାଇ ରୂପାଲା(ବିଜେପି)
୫ – ଅନୁରାଗ ସିଂ ଠାକୁର(ବିଜେପି)
୬ - ବିଷ୍ଣୁ ଦୟାଲ ରାମ(ବିଜେପି)
୭ – ଭର୍ତ୍ତୃହରି ମହତାବ(ବିଜେପି)
୮ – ଡ. ସମ୍ବିତ ପାତ୍ର(ବିଜେପି)
୯ – ଅନିଲ ବଲୁନି(ବିଜେପି)
୧୦ – ବିଷ୍ଣୁ ଦତ୍ତ ଶର୍ମା(ବିଜେପି)
୧୧ – ପ୍ରିୟଙ୍କା ଗାନ୍ଧୀ ଭଦ୍ରା(କଂଗ୍ରେସ)
୧୨ – ମନୀଷ ତିଓ୍ଵାରୀ(କଂଗ୍ରେସ)
୧୩ – ସୁଖଦେବ ଭଗତ(କଂଗ୍ରେସ)
୧୪ – ଧର୍ମେନ୍ଦ୍ର ଯାଦବ(ସମାଜବାଦୀ ପାର୍ଟି)
୧୫ – କଲ୍ୟାଣ ବାନାର୍ଜୀ(ଟିଏମସି)
୧୬ – ଟିଏମ ସେଲଭାଗଣପତି(ଡିଏମକେ)
୧୭ – ଜିଏମ ହରିଶ ବାଲଯୋଗୀ(ଟିଡିପି)
୧୮ – ସୁପ୍ରିୟା ସୁଲେ(ଏନସିପି-ଶରଦ ଗୋଷ୍ଠୀ)
୧୯ – ଡ. ଶ୍ରୀକାନ୍ତ ଏକନାଥ ସିନ୍ଦେ(ଶିବସେନା-ସିନ୍ଦେ ଗୋଷ୍ଠୀ)
୨୦ – ଚନ୍ଦନ ଚୌହାନ(ଆରଏଲଡି)
୨୧- ବାଲାଶୋଭରୀ ବଲ୍ଲଭନେନୀ(ଜନସେନା ପାର୍ଟି)